ରାହୁଲ ଗାନ୍ଧୀଙ୍କ ଟିଆରପି ବଢାଉଛନ୍ତି ମୋଦୀ : ମମତା ବାନାର୍ଜୀ

କୋଲକାତା : (ସଂକେତ୍ ଟିଭି) ‘ତୃଣମୂଳ କଂଗ୍ରେସ’ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ‘ଟିଆର୍‌ପି’। ରବିବାର ଦିନ ମୁର୍ଶିଦାବାଦ ଜିଲ୍ଲାରେ ଆୟୋଜିତ ଦଳର ଅଭ୍ୟନ୍ତରୀଣ ବୈଠକରେ ମମତା ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ‘ବିଜେପି’ ରାହୁଲ୍‌ ଗାନ୍ଧୀଙ୍କୁ ନେତା କରି ରଖିବାକୁ ଚାହୁଁଛି। ଯଦି ରାହୁଲ୍‌ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେହି ସମାଲୋଚନା କରିବାକୁ ସମର୍ଥ ହେବେ ନାହିଁ। ରାହୁଲ୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ‘ଟିଆର୍‌ପି’ (ଟାର୍ଗେଟ୍‌ ରେଟିଙ୍ଗ୍‌ ପଏଣ୍ଟ୍‌)। ‘ବିଜେପି’ ରାହୁଲ୍‌ଙ୍କୁ ‘ହିରୋ’ ବନାଇବାକୁ ଖୁବ୍‌ ବ୍ୟାକୁଳ। ‘ବିଜେପି’ ରାହୁଲ୍‌ଙ୍କୁ ନେତା କରାଇବାକୁ ଆଗ୍ରହୀ ଥିବାରୁ ପାର୍ଲାମେଣ୍ଟ୍‌ ଚଳାଇ ଦେଉନାହିଁ।

ତା ନ ହେଲେ, ବିଦେଶରେ କିଏ କ’ଣ କହିଦେଲେ ସେ କଥାକୁ ଧରି ଦେଶରେ ଏତେ ବାଦବିବାଦ ହୋଇଥିବା କଥା କେହି କେବେ ଦେଖିଛି? ଆମେ ଚାହୁଁ ପାର୍ଲାମେଣ୍ଟ୍‌ ଚାଲୁ ଏବଂ ଆଦାନି ଓ ‘ଏଲ୍‌ଆଇସି’ ମାମଲା ଉପରେ ଆଲୋଚନା ହେଉ। କିନ୍ତୁ, ଆଦାନି ମାମଲା ଉପରେ ଆଲୋଚନା କରାଯାଉନାହିଁ କାହିଁକି? ‘ଏଲ୍‌ଆଇସି’ ଉପରେ ଆଲୋଚନା ହେଉନି କାହିଁକି? ଗ୍ୟାସ୍‌ ଦର ଉପରେ ଆଲୋଚନା ହେଉନି କାହିଁକି? ଏଭଳି ମାମଲା ସବୁ ଥିବା ବେଳେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ କପି ଉପସ୍ଥାପନ କରାଯାଉଛି। ଆମେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଗ୍ରହଣ କରୁନାହୁଁ କି, ତାହା ଲାଗୁ କରାଇ ଦେବୁନାହିଁ ବୋଲି ‘ତୃଣମୂଳ କଂଗ୍ରେସ’ କର୍ମୀମାନଙ୍କୁ ମମତା ବାନାର୍ଜୀ କହିଛନ୍ତି।

ସେପଟେ କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ମମତା ବାନାର୍ଜୀ ବଙ୍ଗଳାରେ ପ୍ରମାଣ କରିଛନ୍ତି ଯେ ତାଙ୍କ ସହ ପିଏମ ମୋଦିଙ୍କ ର ଏକ ଚୁକ୍ତି ହୋଇଛି।

କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଧ୍ୱଂସ କରିବା ଏବଂ ସେମାନଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବା ସେମାନଙ୍କର ଉଦ୍ଦେଶ୍ୟ। ଇତି ମଧ୍ୟରେ ମମତାଙ୍କ ସ୍ଲୋଗାନ ବଦଳିଛି। ସେ ଇଡି-ସିବିଆଇଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଯିଏ କଂଗ୍ରେସକୁ ବିରୋଧ କରିବ ମୋଦି ଖୁସି ହେବେ। ତେଣୁ ଏବେ ମମତା ଦିଦିଙ୍କର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ପିଏମ ମୋଦିଙ୍କୁ ଖୁସି କରିବା।