ନବ ଦାସ ହତ୍ୟା ପ୍ରସଙ୍ଗ: ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କ ଘର ଉପରେ ଟମାଟୋ ମାଡ

ଭୁବନେଶ୍ବର: (ସଂକେତ୍ ଟିଭି) ନବ ଦାସ ହତ୍ୟା ପ୍ରସଙ୍ଗରେ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି । ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂହଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନ ଘେରାଉ କରାଯାଇଛି । ଏହା ସହିତ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିଲେ ଛାତ୍ର କଂଗ୍ରେସର ସଦସ୍ୟ। ନବଦାସଙ୍କ ହତ୍ୟା ମାମଲାରେ ସୁଶାନ୍ତଙ୍କୁ ପରିସରଭୁକ୍ତ କରି ତାଙ୍କ ମୋବାଇଲ ଜବତ କରି ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି ।

ଏଥିସହ ଦଳ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଘେରାଉ ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୋଲିସ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଆଡକୁ ଗତି କରୁଛି। ଦିନ ଦ୍ବିପହରେ ଜଣେ ମନ୍ତ୍ରୀଙ୍କୁ ପୋଲିସ କର୍ମଚାରୀ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଯାହା ଓଡିଶା ଇତିହାସରେ ପ୍ରଥମ । ସୁଶାନ୍ତ ଏବଂ ନବଙ୍କ ମଧ୍ୟରେ ଶତ୍ରୁତା ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ତେବେ ପଶ୍ଚିମ ଓଡ଼ିଶାରେ ଶାସକ ବିଜେଡି ବିଧାୟକ ସୁଶାନ୍ତ ସିଂ ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ନିଜକୁ ପ୍ରତିପାଦିତ କରି ପାରିଥିଲେ । କିନ୍ତୁ ନବଦାସ ବିଜେଡିରେ ଯୋଗ ଦେବା ପରେ ତାଙ୍କ ପତିଆରା ବୃଦ୍ଧି ପାଉଥିଲା । ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ତଦନ୍ତ ଠିକ ହେଉନାହିଁ ବୋଲି ବିରୋଧୀ ସରକାରଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରୁଛନ୍ତି । ତେବେ ଏନେଇ ବିଧାୟକ ସୁଶାନ୍ତ ସିଂହ କୌଣସି ଉତ୍ତର ରଖିନାହାନ୍ତି ।