ରାସ୍ତା ଉପରେ ୮ ବର୍ଷର ପୁଅକୁ ଛାଡ଼ି ଫେରାର ମାରିଲେ ବାପା-ମାଆ

ବାଲେଶ୍ବର : (ସଂକେତ୍ ଟିଭି) ଘରୋଇ କଳିରୁ ରାସ୍ତାରେ ୮ ବର୍ଷର ପୁଅକୁ ଛାଡ଼ି ବାପା ମା ଫେରାର ହୋଇଯାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିଷଡା ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପୁଅକୁ ପୋଲିସ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି ।

ସୂଚନା ଅନୁଯାୟୀ, ବାହାନଗା ବ୍ଲକ ପଥରପେଣ୍ଠର ୮ ବର୍ଷ ର ଜ୍ୟୋତି ରଞ୍ଜନ ମଲ୍ଲିକ ଦହିଷଡାଠାରେ ଏଣେ ତେଣେ ବୁଲୁଥିବାର ଦେଖି ହୋଟେଲ୍ ସନସାଇନ୍ ମାଲିକ ତାକୁ ଖାଇବାକୁ ଦେଇ ନିଜ ଦାୟିତ୍ୱରେ ରଖିଥିବା ବେଳେ ସୋର ଥାନାକୁ ଜଣାଇଥିଲେ । ତତ୍‌କ୍ଷଣାତ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ୟୋତିରଞ୍ଜନକୁ ଉଦ୍ଧାର କରିଥିଲେ ।

ତାକୁ ପଚରାଉଚରା କରିବା ପରେ ସବୁ ଘଟଣା ଜଣାପଡିଥିଲା । ପ୍ରଥମେ ବାପା କାଳିଆ ମଲ୍ଲିକ ନିଜ ସ୍ତ୍ରୀ ମନୋରମା ଓ ପୁଅ ଜ୍ୟୋତିରଞ୍ଜନକୁ ଛାଡି ପଳାଇଥିଲେ । ଏହାପରେ ମାଆ ମନୋରମା ମଲ୍ଲିକ ଆଉ ଜଣେ ଯୁବକଙ୍କ ସହ ପଳାଇଥିବାର ପୁଅ ଜ୍ୟୋତିରଞ୍ଜନ କହିଛନ୍ତି । ପୋଲିସ ଜ୍ୟୋତିରଞ୍ଜନଙ୍କୁ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି । ଶିଶୁ ସୁରକ୍ଷା ସମିତି ପକ୍ଷରୁ ତାକୁ ବାଲେଶ୍ବର ଉତ୍କଳ ବାଳାଶ୍ରମରେ ରଖାଯାଇ ମାମଲାର ତଦନ୍ତ ଆରମ୍ଭ କରାଯାଇଛି ।