କୁଡୁମୀ ସେନାର ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳନ

ବାରିପଦା : (ସଂକେତ୍ ଟିଭି) କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳନ କରାଯାଇଥିଲା । ସକାଳ ୬ ଘଟିକାରୁ ବନ୍ଦ ପାଳନ ଆରମ୍ଭ କରା ଯାଇ ବେଳେ ଅପରାହ୍ନ ୧୨୦୦ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ପାଳନ କରାଯାଇଥିଲା। କୁଡୁମୀ ସେନାର କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉ ଥିବା ବେଳେ କୁଡୁମୀ ମହିଳାମାନେ ମଧ୍ୟ ତାଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ରାଇରଙ୍ଗପୁର କପ୍ତିପଦା କରଞ୍ଜିଆରେ ମଧ୍ୟ କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ହଡତାଲରେ ଯୋଗ ଦେଇଥିଲେ ।

୧୮ ନଂ ଜାତୀୟ ରାଜପଥ ସହିତ ୪୯ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ କୁଡୁମୀ ସମ୍ପ୍ରଦାୟ । ବନ୍ଦ ଯୋଗୁଁ ଗାଡ଼ି ମଟର ଚଳାଚଳ ଠପ୍ ହୋଇଥିବା ବେଳେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନ୍ୟପଟେ କୁଡୁମୀମାନଙ୍କର ଏହି ହଡତାଲରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରହିଥିଲା ।

ସେପଟେ ସକାଳୁ ଟାଟା ନଗର ରେଲୱେ ଷ୍ଟେସନରୁ ବାଦାମପାହାଡ ରେଲୱେ ଷ୍ଟେସନ ଅଭିମୁଖେ ଯାଉଥିବା ଟ୍ରେନ୍‌କୁ ରାଇରଙ୍ଗପୁର ରେଳ ଷ୍ଟେସନରେ ପାଖାପାଖି ଗୋଟିଏ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ କୁଡୁମୀ ସେନା । ଏସବୁ ମଧ୍ୟରେ ରାଇରଙ୍ଗପୁର ରେଳ ଫାଟକ ନିକଟରେ ଗୋଟିଏ ମାରୁତି ଆଲ୍ଟୋ କାରକୁ ମଧ୍ୟ ଭଙ୍ଗାରୁଜା କରିବା ସହିତ କାର ଚାଳକକୁ ମାରପିଟ୍ କରିଥିବା ଖବର ହସ୍ତଗତ ହୋଇଛି ।

ଦୀର୍ଘ ୭୨ ବର୍ଷ ହେବ ୧୯୫୦ ମସିହାରେ କୁଡୁମୀ ସମ୍ପ୍ରଦାୟର ଲୋକ ମାନଙ୍କୁ ଅଣ ଆଦିବାସୀ ଭାବେ ଘୋଷଣା କରାଯାଇଥିଲା । ଆଦିବାସୀ ଭାବରେ ଯେଉଁ ସବୁ ସୁବିଧା ସୁଯୋଗ ମିଳିବା କଥା ସେଥିରୁ ବଞ୍ଚିତ କୁଡୁମୀ ସମ୍ପ୍ରଦାୟ । ଏବେ ପୁଣି ଥରେ କୁଡୁମୀ ସମ୍ପ୍ରଦାୟ ଆନ୍ଦୋଳନ କରିଛି । ତେବେ କୁଡୁମୀ ସେନା ତରଫରୁ ୨୦୧୭ ମସିହା ସେପ୍ଟେମ୍ବର ୧୨ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ତେବେ ଅନୁସୂଚିତ ଜାତି ଓ ଜନଜାତିରେ ସାମିଲ ହେବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ।