୪ଜଣକୁ ବାହା ହୋଇ ବନ୍ଧା ହେଲେ ରସିକିଆ ସରକାରୀ ବାବୁ
ରାୟଗଡ଼ା : (ସଂକେତ୍ ଟିଭି) ଚାରି ଜଣକୁ ବିବାହ କରି ବନ୍ଧା ହେଲେ ରାୟଗଡ଼ା ଜିଲ୍ଲା ପୁର୍ତ୍ତ ବିଭାଗରେ କାର୍ଯ୍ଯରତ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ । କନିଷ୍ଠ ଯନ୍ତ୍ରୀଙ୍କ ଚତୁର୍ଥ ପତ୍ନୀ ସୁନିତା କିଷାନଙ୍କ ଅଭିଯୋଗ କ୍ରମେ ତାଙ୍କୁ ରାୟଗଡା ପୋଲିସ ଗିରଫ କରିଛି।
ଗୋପୀନାଥ କିଷାନ ସୁନିତାଙ୍କୁ ବିବାହ କରିବା ସହିତ ପୂର୍ବରୁ ଅନ୍ୟ ୩ ଜଣ ଯୁବତୀଙ୍କୁ ବିବାହ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ସେ ତାଙ୍କୁ ଶାରୀରିକ ନିର୍ଯାତନା ସହିତ ଅଶ୍ଳୀଳ ଗାଳିଗୁଲଜ କରିବା ସହ ଅଧିକ ଯୌତୁକ ଦାବି ଓ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।
ସୁନିତା କିଷାନ ଛତିଶଗଡ଼ର ରାୟଗଡ ଜିଲ୍ଲା ଘଟିକି ପାଲି ଗାଁ ବାସିନ୍ଦା। ସେ ସମ୍ବଲପୁର ଜିଲ୍ଲା ଘୁମୁସର ଗାଁର ଗୋପୀନାଥ କିଷାନକୁ ଦୀର୍ଘ ଏକ ବର୍ଷ ପୂର୍ବରୁ ବିବାହ କରିଥିଲେ। ଉଭୟଙ୍କର ପ୍ରଥମ ଚିହ୍ନା ମେଟ୍ରୋମୋନି ଜରିଆରେ ସମ୍ପର୍କ ଯୋଡିଥିଲେ।
ପରିବାରଙ୍କ ନିଷ୍ପତ୍ତି ଅନୁସାରେ ଗତ ବର୍ଷ ଫେବୃଆରୀରେ ଝାରସୁଗୁଡା ସ୍ଥିତ ଝାଡେଶ୍ବର ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା। କିନ୍ତୁ ଉଭୟଙ୍କ ବୈବାହିକ ଜୀବନରେ ମାତ୍ର ପାଞ୍ଚ ମାସ ପରେ ତିକ୍ତତା ଦେଖା ଦେଇଥିଲା। ଯୌତୁକ ନିର୍ଯାତନା ଅଭିଯୋଗ କରି ସୁନିତା କିଷାନ ଗତ ଜୁନ ମାସରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଉଭୟଙ୍କୁ ବୁଝାସୁଝା କରି ଦିଆଯାଇଥିଲା।
ତଥାପି ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରୁ ପତ୍ନୀ ସୁନିତାଙ୍କ ମଧ୍ୟରେ ସ୍ୱାମୀଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ସେ କିଷାନଙ୍କ ଚତୁର୍ଥ ସ୍ତ୍ରୀ ବୋଲି ଜାଣିପାରି ସହ ପରିବାରେ ସୋମବାର ଆସି ଥାନାରେ ଏତଲା ଦେଇଥିଲେ। ଆଇପିସିରେ ରୁଜୁ କରି ଆଜି କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ କୋର୍ଟ ଚାଲାଣ କରିଛି।