‘ଫାଶୀ ଖୁଣ୍ଟରେ ଝୁଲାଇବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ଅଛି କି?

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଫାଶୀ ଖୁଣ୍ଟରେ ଝୁଲାଇବା ବ୍ୟତୀତ ମୃତ୍ୟୁର ଅନ୍ୟ କିଛି ବିକଳ୍ପ ବାଛିବା ପାଇଁ ଦାଏର ଏକ ଆବେଦନର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି କ’ଣ ଏଥିପାଇଁ କିଛି ଆଧୁନିକ ବୈଜ୍ଞାନିକ ପଦ୍ଧତି ରହିଛି ।

ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଆଟର୍ଣ୍ଣି ଜେନେରାଲଙ୍କୁ ମଇ ୨ ପର୍ଯ୍ୟନ୍ତ ଏହା ଉପରେ ଜବାବ ଦେବା ପାଇଁ କହିଛନ୍ତି । ସର୍ବୋଚ୍ଚ ଅଦାଲତ ଏ ପ୍ରସଙ୍ଗରେ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିପାରନ୍ତି । ଏଥିସହ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାର ପ୍ରଭାବ କ’ଣ ସେ ସମ୍ପର୍କରେ କୌଣସି ଗବେଷଣା ଭିତ୍ତିକ ରିପୋର୍ଟ ଅଛି କି ନାହିଁ, ତା’ର ତଥ୍ୟ ମାଗିଛନ୍ତି । ସର୍ବୋଚ୍ଚ ଅଦାଲତ ପଚାରିଛନ୍ତି ଯେ ଫାଶୀ ଦେବା ଦ୍ୱାରା କେତେ କଷ୍ଟ ହୋଇଥାଏ? ଆଧୁନିକ ବିଜ୍ଞାନ ପଦ୍ଧତି ଫାଶୀର ଦଣ୍ଡକୁ ନେଇ କ’ଣ କହୁଛି? ଦେଶ କିମ୍ବା ବିଦେଶରେ ଏହା ବ୍ୟତୀତ ମୃତ୍ୟୁଦଣ୍ଡର କିଛି ବିକଳ୍ପ ଅଛି କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏଥିସହ ମେ’ ୨ରେ ଏହା ଉପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ।

ମୃତ୍ୟୁଦଣ୍ଡ ପାଉଥିବା ଦୋଷୀଙ୍କ ପାଇଁ ଯନ୍ତ୍ରଣା ହେଉ ନଥିବା ବ୍ୟବସ୍ଥା କରିବାକୁ ଗୋଟିଏ ଆବେଦନ କରାଯାଇଥିଲା । ଆବେଦନକାରୀ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ ଫାଶୀ ବଦଳରେ ଶୁଟିଂ, ବିଷାକ୍ତ ଇଞ୍ଜକସନ ଓ ବିଦ୍ୟୁତ ଚେୟାରର ବ୍ୟବହାର କରିବାକୁ ମଧ୍ୟ ଦାବି କରିଥିଲେ । ଫାଶୀ ଦଣ୍ଡ ଅତ୍ୟନ୍ତ ନିଷ୍ଠୁର ପ୍ରକ୍ରିୟା ବୋଲି ଆଇନଜୀବୀ ଋଷି ମାଲହୋତ୍ରା କୋର୍ଟଙ୍କୁ କହିବା ସହ ଆଇନ କମିଶନ ରିପୋର୍ଟକୁ ମଧ୍ୟ ପଢ଼ିଛନ୍ତି ।

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, “ହିଁ, ଏହା ଗୋଟିଏ ଚିନ୍ତା କରିବାର ବିଷୟ । ଆମ ହାତରେ କିଛି ବିଜ୍ଞାନି ଭିତ୍ତିକ ତଥ୍ୟ ରହିବା ଆବଶ୍ୟକ । ଆମକୁ ବିଭିନ୍ନ ଉପାୟରେ ଦିଆଯାଉଥିବା ମୃତ୍ୟୁଦଣ୍ଡ ଦ୍ୱରା ଯନ୍ତ୍ରଣା ସଂକ୍ରାନ୍ତ ତଥ୍ୟ ଦିଆଯାଉ । ଆମେ ଗୋଟିଏ କମିଟି ଗଠନ କରିପାରୁ । କମିଟିରେ କେଉଁମାନଙ୍କୁ ସାମିଲ କରାଯିବ, ସେବିଷୟରେ ଆପଣ ମତାମତ ରଖିପାରିବେ ।