ଜାତିସଂଘର ଚେତାବନୀ; ୨୦୩୦ ସୁଦ୍ଧା ଅସମ୍ଭାଳ ହେବ ଉତ୍ତାପ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆଜିଯାଏ ଯେତେ ପଦକ୍ଷେପ ନିଆଯାଇଛି ବା ଯାହା ନେବା ପାଇଁ ଯୋଜନା କରାଯାଇଛି, ତାହା ଯଥେଷ୍ଟ ନୁହେଁ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ତେଣୁ
୨୦୩୦ ସୁଦ୍ଧା ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରି ସେଲସିୟସ (୧୮୫୦ରୁ ୧୯୦୦ ସ୍ତର) ଭିତରେ ସୀମିତ ରଖିବା ସମ୍ଭବ ହେବ ନାହିଁ ବୋଲି ଜାତିସଂଘର ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି) ପକ୍ଷରୁ ସୋମବାର ପ୍ରକାଶିତ ଏହାର ରିପୋର୍ଟରେ କୁହାଯାଇଛି ।
ଯେକୌଣସି ଗୋଟିଏ ବର୍ଷ ଭିତରେ ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରି ସୀମା ଟପିଯିବାର ୫୦:୫୦ ସମ୍ଭାବନା ଥିବା ବେଳେ ଆଇପିସିସିର ପୂର୍ବାନୁମାନ ଅନୁସାରେ ଆଗାମୀ ଦୁଇ ଦଶନ୍ଧି ଭିତରେ ତାପମାତ୍ରା ପ୍ରାକ୍-ଶିଳ୍ପବିପ୍ଳବ (୧୮୫୦- ୧୯୦୦) ସ୍ତର ତୁଳନାରେ ୧.୫ ଡିଗ୍ରି ନିଶ୍ଚୟ ଟପିଯିବଛ ସେପରି ହେଲେ ସାରା ବିଶ୍ୱରେ ଚରମ ଜଳବାୟୁ-ଜନିତ ପ୍ରଳୟ ଘୋଟିବ । ମେରୁ ବରଫ ତରଳିବା କାରଣରୁ ସମୁଦ୍ରସ୍ତର ବୃଦ୍ଧି ପାଇବ । ପୃଥିବୀରେ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବ । ପୃଥିବୀକୁ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ୨୦୫୦ ସୁଦ୍ଧା ‘ନେଟ୍ ଜିରୋ’ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ହାର ହ୍ରାସ କରି ୨୦୧୯ ସ୍ତର ଭିତରେ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଧୀରେ ଧୀରେ କୋଇଲା ବ୍ୟବହାର ହ୍ରାସ କରି ୨୦୪୦ ସୁଦ୍ଧା ଏହାର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଜାତିସଂଘ ମହାସଚିବ ସମସ୍ତଙ୍କୁ ଭାରତର ମସ୍ତିଷ୍କ-ପ୍ରସୂତ ମିସନ ଲାଇଫ୍ (ଲାଇଫ୍ ଷ୍ଟାଇଲ୍ ଫର୍ ଏନଭିରନମେଣ୍ଟ)ର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି, ଯେଉଁ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ପ୍ରସ୍ତାବ ଦେଇଥିଲେ ।
ଗୁଟେରସ କହିଛନ୍ତି, ୨୦୫୦ ନୁହେଁ, ୨୦୪୦ ସୁଦ୍ଧା ‘ନେଟ୍ ଜିରୋ’ ହାସଲ ପାଇଁ ବିକଶିତ ଦେଶଗୁଡ଼ିକ ପ୍ରତିବଦ୍ଧତା ପ୍ରକାଶ କରିବା ଆବଶ୍ୟକ । ସେହିପରି ଭାରତ ସମେତ ବିକାଶଶୀଳ ଦେଶଗୁଡ଼ିକ ଏହି ଲକ୍ଷ୍ୟ ୨୦୫୦ ସୁଦ୍ଧା ହାସଲ କରିବା ପାଇଁ ପ୍ରତିବଦ୍ଧ ହେବା ଉଚିତ । ଭାରତ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ହାସଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ।