ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ମିଳିଲା ବିଜେପି ରାଜ୍ୟ ସଭାପତି ଦାୟିତ୍ବ

ଭୁବନେଶ୍ବର : (ସଂକେତ୍ ଟିଭି) : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଦାୟିତ୍ବ, ମିଳିଛି। ସେ ସମୀର ମହାନ୍ତିଙ୍କ ସ୍ଥାନରେ ଏହି ଦାୟିତ୍ବ ନିର୍ବାହ କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଭାର ତୁଲାଇଥିଲେ । ସେତେବେଳେ ରାଜ୍ୟରେ ମେଣ୍ଟ ସରକାର ଥିଲା । ମନମୋହନ ସାମଲ ୧୯୫୯ ମସିହାର ଅପ୍ରେଲ ମାସ ୧୫ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। କଳା ଏବଂ ଓକିଲାତିରେ ସ୍ନାତକ ଶ୍ରୀ ସାମଲ ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ସେ ଭଦ୍ରକ କଲେଜରେ ପାଠ ପଢ଼ୁଥିବାବେଳେ ୧୯୭୯ ମସିହାରେ ଭଦ୍ରକ କଲେଜର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଏବିଭିପିର ସଦସ୍ୟ ହୋଇଥିଲେ। ସେ ୨୦୦୪ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୪ରୁ ୨୦୦୯ ଯାଏଁ ବିଧାୟକ ଥିବା ମନମୋହନ ମେଣ୍ଟ ସରକାର ସମୟରେ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜସ୍ବ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏହାଛଡ଼ା ମନମୋହନ ସାମଲ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।

ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ମନମୋହନଙ୍କୁ ଏହି ଦାୟିତ୍ୱ ଦେଇ ନିର୍ବାଚନ ପ୍ରସ୍ତୁତିକୁ ବିଜେପି ଜୋରଦାର କରୁଥିବା ସଂକେତ ମିଳିଛି । ବିଜେପିର ଫୋକସ ଏବେ ଉପକୂଳ ଓଡିଶା ଉପରେ । ରାଜ୍ୟ ବିଜେପି ମଙ୍ଗ ଧରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ । ସେ କହିଛନ୍ତି ମୋ ଉପରେ ଦଳ ଯେଉଁ ବିଶ୍ବାସ କରିଛି ମୋ ପାରୁ ପର୍ଯ୍ୟନ୍ତ ମୁଁ କାର୍ଯ୍ୟ କରିବି । ସାଧାରଣ ଲୋକ ନିର୍ବାଚନ ଲଢିବେ । ଜନତା ଯାହା ଚାହିଁବେ ଆମେ ତାହା କରିବୁ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ରାଜ୍ୟରେ ଚାଲିଥିବା ଅନ୍ୟାୟ ଅତ୍ୟାଚାର ଦୁର୍ନୀତି ବିରୋଧରେ ଲଢିବ ବିଜେପି । ପରିବର୍ତ୍ତନ ହେବ ।”,