ରାହୁଲ୍ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ସୁରତ କୋର୍ଟ
ନୂଆଦିଲ୍ଲୀର : (ସଂକେତ୍ ଟିଭି) ମୋଦି ଉପନାମକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ସୁରଟ ଜିଲ୍ଲା ଅଦାଲତ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଏହି ମାମଲାରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାରେ ରାହୁଲ୍ ମଧ୍ୟ ୩୦ ଦିନ ପାଇଁ ଜାମିନ ପାଇଛନ୍ତି। ଏହାଛଡ଼ା, ଏହି ନିଷ୍ପତ୍ତି ଉପରେ ଆବେଦନ କରିବା ଲାଗି ମଧ୍ୟ ତାଙ୍କୁ ଅନୁମତି ମିଳିଛି।
୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍ଠାରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ରାହୁଲ୍ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ସେ କହିଥିଲେ ସମସ୍ତ ଚୋରଙ୍କ ଉପନାମ ବା ସରନେମ ମୋଦି କାହିଁକି ଯେପରି ନୀରବ ମୋଦି ଲଳିତ ମୋଦି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିଶାନା କରିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗମା ହୋଇଥିଲା । ଏହି ବୟାନ ପାଇଁ ରାହୁଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଏହି ଅଭିଯୋଗ ଦାଏର କରିଥିଲେ।
ଶୁଣାଣି ସମୟରେ ରାହୁଲ ଗାନ୍ଧୀ ବିଚାରପତିଙ୍କୁ କହିଥିଲେ ମୋର ଉଦ୍ଦେଶ୍ୟ ଭୁଲ ନଥିଲା । ମୁଁ ଯାହା କହିଥିଲି ତାହା ରାଜନୈତିକ ହିସାବରେ ଥିଲା । ମୁଁ ସବୁବେଳେ ଦେଶରେ ଭ୍ରଷ୍ଟାଚାର ମୁଦ୍ଦା ଉଠାଇଥାଏ । ଆଜି ବିଚାର ପାଇଁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ସୁରତ ଅଦାଲତରେ ହାଜର ହେବା ଆଗରୁ ତାଙ୍କୁ ସମର୍ଥନ କରି କଂଗ୍ରେସ ପାର୍ଟି ଅଦାଲତ ବାହାରେ ବିଭିନ୍ନ ପୋଷ୍ଟର୍ ଲଗାଇଥିଲା। ଭଗତ ସିଂହ ଓ ସୁଖଦେବଙ୍କ ଫଟୋ ଥାଇ ଉକ୍ତ ପୋଷ୍ଟର୍ରେ ଉଲ୍ଲେଖ ଥିଲା ଗଣତନ୍ତ୍ରକୁ ସମର୍ଥନ କରିବା ଲାଗି ସୁରତ ଚାଲନ୍ତୁ।
ମାମଲାର ଦଣ୍ଡାଦେଶ ଶୁଣାଯିବା ପରେ ରାହୁଲ ଗାନ୍ଧୀ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି । ଟ୍ବିଟ କରି ସେ କହିଛନ୍ତି ମୋ ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ । ସତ୍ୟ ମୋ ଭଗବାନ । ଅହିଂସା ତାହାକୁ ହାସଲ କରିବାର ସାଧନା । ଶେଷରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ ଲେଖିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସନ୍ତୋଷ ପ୍ରକାଶ କରଛନ୍ତି । ସେ କହିଛନ୍ତି ରାହୁଲଙ୍କୁ ଜାମିନ ମିଳିଛି । ଆମେ ଆରମ୍ଭରୁ ଜାଣିଥିଲୁ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଜଜ ପରିବର୍ତ୍ତନ କରାଯାଇଥିଲା । ଆମର ନ୍ୟାୟ ଉପରେ ଭରସା ଅଛି । ଆମେ ଏ ନେଇ ଲଢିବୁ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ଭାଇ ସତ ପଥରେ ରହିଛନ୍ତି ଓ ସତ କୁହନ୍ତି ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ମୋର ଭାଇଙ୍କ ସ୍ବରକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି । ମୋ ଭାଇ କେବେ ଡରିବେ ନାହିଁ ।