ରଦ୍ଦ ହେଲା ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା
ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଗତକାଲି ସୁରଟ ସେସନ କୋର୍ଟ ୨ବର୍ଷର ଜେଲ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜୋରିମାନା ଶୁଣାଇଥିଲେ । ଏହାପରେ ଆଜି ଲୋକସଭା ସଚିବାଳୟରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ନୋଟିସ ଜାରି ହୋଇଛି । ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ।
ରାହୁଲ କେରଳ ୱାୟନାଡ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ସାଂସଦ ରହିଥିଲେ । ଗତ ୪ବର୍ଷ ତଳେ ଅର୍ଥାତ ୨୦୧୯ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ କହିଥିଲେ ଯେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁକି ଏହାପରେ ସେ ଲଳିତ ମୋଦି ନୀରବ ମୋଦିଙ୍କୁ ଉଦାହରଣ ସଜାଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ । ଏହା ବିରୋଧରେ ଗୁଜୁରାଟର ବିଜେପି ବିଧାୟକ ପୂର୍ଣ୍ଣେଶ କୋର୍ଟଙ୍କ ଦ୍ବାରସ୍ଥ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଯଦି କୌଣସି ବିଧାୟକ ତଥା ସାଂସଦ ଦୁଷ୍କର୍ମ ସମ୍ବିଧାନର ଅପମାନ ଶତ୍ରୁତା ଭାଷା ଧର୍ମ ତଥା ଅଞ୍ଚଳକୁ ନେଇ ଆତଙ୍କୀ ଗତିବିଧିରେ ସାମିଲ ରୁହନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । ଏପରି ସ୍ଥିତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାଂସଦ ତଥା ବିଧାୟକ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ । ଏହି ଆଇନର ଧାରା ୮ବିରେ ଉଲ୍ଲେଖ ରହିଛି ଯେ ଯଦି କୌଣସି ସାଂସଦ ତଥା ବିଧାୟକ ଯୌତୁକ କଳା ବଜାର ତଥା ବେଆଇନ ଲାଭ ଉଠାଇବା ଭଳି ଅପରାଧରେ ସାମିଲ ରୁହନ୍ତି ଏବଂ ତାଙ୍କୁ ୬ମାସରୁ ଅଧିକ ସଜ୍ଜା ଶୁଣାଯାଏ ତେବେ ସେ ନିଜର ସଦସ୍ୟତା ହରାଇବେ । ଧାରା ୮ରେ ମଧ୍ୟ ଉଲ୍ଲେଖ ରହିଛି ଯେ ଅନ୍ୟ ଅପରାଧ ଲାଗି ଯଦି ସାଂସଦ ବା ବିଧାୟକଙ୍କୁ ୨ବର୍ଷରୁ ଅଧିକ ସଜ୍ଜା ମିଳେ ତେବେ ତାଙ୍କ ସଦସ୍ୟତା ରଦ୍ଦ କରାଯିବ ସହ ସେ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।