୧.୨ କୋଟି ହ୍ୱାଟ୍‌ସଆପ୍‌, ୧୭ ଲକ୍ଷ ଫେସ୍‌ବୁକ୍ ୟୁଜର୍ସଙ୍କ ଡାଟା ଚୋରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶର ସବୁଠୁ ବଡ ସୋସିଆଲ ମିଡିଆ ଡାଟା ଲିକ୍‌ର ପର୍ଦ୍ଦାଫାଶ ହୋଇଛି । ଏହି ମାମଲାରେ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ସାଇବର ପୋଲିସ ତଥ୍ୟ ସୂଚନାନୁସାରେ, ଏହି ଡାଟା ଲିକରେ ସରକାରୀ ଏବଂ ଅଣସରକାରୀ ପ୍ରାୟ ୧୬.୮ କୋଟି ଆକାଉଣ୍ଟରୁ ତଥ୍ୟ ଚୋରି ହୋଇଛି । ଏଥିରେ ୨.୫୫ ଲକ୍ଷ ସେନା ଅଧିକାରୀଙ୍କ ତଥ୍ୟ ମଧ୍ୟ ରହିଛି । ଏହି ଡାଟା ଲିକ୍‌କୁ ଦେଶର ସବୁଠୁ ବଡ ଡାଟା ଲିକ କୁହାଯାଉଛି । ଏହି ପୁରା ଗ୍ୟାଙ୍ଗକୁ ତେଲେଙ୍ଗାନାର ସାଇବରବାଦ ପୋଲିସ ଗିରଫ କରିଛି ।

ଅଭିଯୁକ୍ତମାନେ ୧୪୦ ବିଭିତ୍ତ ବର୍ଗରେ ତଥ୍ୟ ବିକ୍ରି କରୁଥିଲେ । ଏଥିରେ ସେନା କର୍ମଚାରୀଙ୍କ ତଥ୍ୟ ବ୍ୟତୀତ ଦେଶର ସମସ୍ତ ଲୋକଙ୍କ ଫୋନ ନମ୍ବର, ନିଟ୍ ଛାତ୍ରମାନଙ୍କର ବ୍ୟକ୍ତିଗତ ସୂଚନା ଇତ୍ୟାଦି ସାମିଲ ଅଛି । ଏହି ସୂଚନା ସାଇବରବାଦ ପୋଲିସ କମିଶନର ଏମ ଷ୍ଟିଫେନ ରବିନ୍ଦ୍ର ଦେଇଛନ୍ତି । ଏହି ମାମଲାରେ ଦିଲ୍ଲୀରୁ ୭ ଜଣ ଡାଟା ଦଲାଲଙ୍କୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତ ନୋଏଡାର ଏକ କଲ ସେଣ୍ଟର ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିଲେ ।

ଅଭିଯୁକ୍ତମାନେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଏହି ଚୋରି ହୋଇଥିବା ତଥ୍ୟକୁ ମଧ୍ୟ ୧୦୦ ସାଇବର ଠକଙ୍କୁ ବିକ୍ରି କରାଯାଇଛି । ଏହି ଡାଟା ଲିକରେ ୧.୨ କୋଟି ହ୍ୱାଟ୍‌ସଆପ୍ ଏବଂ ୧୭ ଲକ୍ଷ ଫେସ୍‌ବୁକ୍ ୟୁଜର୍ସଙ୍କ ତଥ୍ୟ ସାମିଲ ଅଛି । ପୋଲିସର ରିପୋର୍ଟ ଅନୁଯାୟୀ ଅଭିଯୁକ୍ତମାନେ ୫୦,୦୦୦ ଲୋକଙ୍କ ତଥ୍ୟକୁ ମାତ୍ର ୨,୦୦୦ ଟଙ୍କାରେ ବିକ୍ରି କରିଛନ୍ତି ।