ମହାତ୍ମା ଗାନ୍ଧୀ କେବଳ ହାଇସ୍କୁଲ ପାସ ଥିଲେ ; ମନୋଜ ସିହ୍ନା, କଡା ପ୍ରତିକ୍ରିୟା ରଖିଲେ ତୁଷାର
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନିକଟରେ ନଥିଲା କୌଣସି ଆଇନ ଡିଗ୍ରୀ । ମଧ୍ୟପ୍ରଦେଶ ଗ୍ବାଲିଅରରେ ଗୁରୁବାର ଏଭଳି ମନ୍ତବ୍ୟ ଦେଇ ସେ ନୂଆ ବିବାଦକୁ ଡାକିଛନ୍ତି ।
ସେ କହିଥିଲେ ଯେ ଏକ ଭୁଲ ଚିନ୍ତାଧାରା ରହିଆସିଛି ଯେ ମହାତ୍ମା ଗାନ୍ଧୀଙ୍କ ନିକଟରେ ଆଇନ ଡିଗ୍ରୀ ଥିଲା । ମାତ୍ର ତାଙ୍କ ନିକଟରେ କୌଣସି ଆଇନ ଡିଗ୍ରୀ ନଥିଲା ବରଂ ହାଇସ୍କୁଲ ଡିପ୍ଲୋମା ଥିଲା । ଯାହାଦ୍ବାରା ସେ ଓକିଲାତି ଅଭ୍ୟାସ କରିବା ଲାଗି ଯୋଗ୍ୟ ହୋଇଥିଲେ । ସିହ୍ନା ଗ୍ବାଲିଅରରେ ଥିବା ଆଇଟିଏମ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସମୟରେ ଏପରି କହିଥିଲେ ।
ସେ କହିଥିଲେ ଏହି କଥାକୁ ଅନେକ ମାନିବାକୁ ପ୍ରସ୍ତୁତ ହେବେ ନାହିଁ କି ଗ୍ରହଣ କରିବେ ନାହିଁ ମାତ୍ର ଏହା ସତ । ଗାନ୍ଧିଜୀଙ୍କ ନିକଟରେ କୌଣସି ବିଶ୍ବବିଦ୍ୟାଳୟର ଡିଗ୍ରୀ ନଥିଲା । ତାଙ୍କ ନିକଟରେ କେବଳ ହାଇସ୍କୁଲ ଡିପ୍ଲୋମା ଥିଲା । ଯାହାଦ୍ବାରା ସେ ଓକିଲାତି ଅଭ୍ୟାସ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ତାଙ୍କ ନିକଟରେ ଆଇନ ଡିଗ୍ରୀ ନଥିଲା । ତଥାପି ସେ କେତେ ଶିକ୍ଷିତ ଓ ଜ୍ଞାନୀ ଥିଲେ । ଏଣୁ ଡିଗ୍ରୀ ପଛରେ ଛାତ୍ରଛାତ୍ରୀ ଧାଇଁବା ବ୍ୟତୀତ ପ୍ରକୃତ ଶିକ୍ଷା ଗ୍ରହଣ କରନ୍ତୁ ।
ତେବେ ମନୋଜ ସିହ୍ନାଙ୍କ ଏପରି ବିଭ୍ରାନ୍ତ ମୂଳକ ବୟାନକୁ ଗାନ୍ଧିଙ୍କ ପୌତ୍ର ତୁଷାର ଗାନ୍ଧି ଖଣ୍ଡନ କରିଛନ୍ତି। ଏ ନେଇ ତୁଷାର ଗାନ୍ଧି ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ଏମ.କେ. ଗାନ୍ଧି ରାଜକୋଟର ଆଲଫ୍ରେଡ ହାଇସ୍କୁଲରୁ ମେଟ୍ରିକ ପାସ୍ କରିଥିଲେ। ତତୁଲ୍ୟ ପରୀକ୍ଷା ସେ ଲଣ୍ଡନରୁ ଉନ୍ନିତ ହୋଇ ଇନର ଟେମ୍ପଲରୁ ଲ ଡିଗ୍ରି ହାସଲ କରିଥିବା ଉଲ୍ଲେଖ କରିଛନ୍ତି।
ଆଇନରେ ଡିଗ୍ରି ବ୍ୟତୀତ ସେ ଦୁଇଟି ଡିପ୍ଲୋମା ମଧ୍ୟ ହାସଲ କରିଥିଲେ। ଏଥିରୁ ସେ ଗୋଟିଏ ଲାଟିନ ଭାଷାରେ କରିଥିବା ବେଳେ ଦ୍ୱିତୀୟଟି ଫରାସୀ ଭାଷାରେ କରିଥିଲେ। ଏହି ସବୁ କଥା ତାଙ୍କ ଆତ୍ମ କଥାରେ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏଲଜି ମନୋଜ ସିହ୍ନା ଗୁରୁବାର ଆଇଟିଏମ ଗ୍ୱାଲିୟରରେ ଡ.ରାମମନୋହର ଲୋହିଆ ସ୍ମାରକୀ ବ୍ୟାଖ୍ୟାନରେ ଗାନ୍ଧିଜୀଙ୍କ ଶୈକ୍ଷିକ ଯୋଗ୍ୟତା ସମ୍ପର୍କରେ ବୟାନ ଦେଇଥିଲେ।
ତୁଷାର ଗାନ୍ଧି ଏହା ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ ମୁଁ ବାପୁଙ୍କ ଆତ୍ମ କଥାର ଏକ କପି ଜମ୍ମୁ ରାଜଭବନକୁ ଏହି ଆଶାରେ ପଠାଉଛି ଯେ ଯଦି ଏଲଜି ଏହାକୁ ପଢି ପାରନ୍ତି ତେବେ ତାଙ୍କୁ ଗାନ୍ଧିଜୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ହୋଇପାରିବ। ତେବେ ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଗାନ୍ଧିଜୀଙ୍କର ପୁରା ଆଇନରେ ଡିଗ୍ରି ନଥିଲା। ତୁଷାର ଗାନ୍ଧି ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କିଛି ଲୋକେ ମୋତେ ଏହି ପରାମର୍ଶ ଦେଉଛନ୍ତି ଯେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ବିରୋଧରେ ମୋକଦ୍ଦମା କର। ତେବେ ରାଷ୍ଟ୍ରପତି ଓ ରାଜ୍ୟପାଳ କୌଣସି କୋର୍ଟ ପ୍ରତି ଉତ୍ତରଦାୟୀ ନୁହନ୍ତି। ପଦରେ ଅବଧି କାଳରେ ଉପରାଜ୍ୟପାଳଙ୍କ ବିରୋଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ହୋଇ ପାରିବନି।