ରାହୁଲ୍‌ ଗାନ୍ଧୀ ‘ଟୁଇଟର୍‌ ଷ୍ଟାଟସ୍‌’ ବଦଳାଇ ଲେଖିଲେ ‘ଡିସ୍‌’କ୍ବାଲିଫାଏଡ୍‌ ଏମ୍‌ପି’

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରାହୁଲ୍‌ ଗାନ୍ଧୀ ଆଜି ତାଙ୍କ ‘ଟୁଇଟର୍‌ ହ୍ୟାଣ୍ଡେଲ୍‌ ଷ୍ଟାଟସ୍‌’ ବଦଳାଇ ଦେଇଛନ୍ତି। ରାହୁଲ ତାଙ୍କର ଅଫିସିଆଲର ଟ୍ବିଟର ହ୍ୟାଣ୍ଡେଲ ବାୟୋରେ ଡିସ୍‌’ କ୍ବାଲିଫାଏଡ୍‌ ଏମ୍‌. ପି. ଲେଖିଛନ୍ତି । ‘ମୋଦୀ’ ସାଙ୍ଗିଆ ଟିପ୍ପଣୀ ମାମଲାରେ ଦଣ୍ଡାଦେଶ ପାଇବା ଯୋଗୁଁ ଲୋକସଭା ସାଂସଦ ପଦ ହରାଇବା ପରେ ସେ ଆଜି ଏହା କରିଛନ୍ତି । ବର୍ତ୍ତମାନ ରାହୁଲଙ୍କର ତେଇଶ ମିଲିୟନ ଫଲୋର୍ସ ଅଛନ୍ତି । କେବଳ ଟ୍ବିଟର ନୁହେଁ ଫେସବୁକ ଆକାଉଣ୍ଟ ବାୟୋ ପରିବର୍ତ୍ତନ କରି ସାଂସଦ ସ୍ଥାନରେ Dis Qualified MP ଲେଖିଛନ୍ତି ।

‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ କାରଣରୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରି ଗୁଜରାଟର ସୁରତ ଜିଲ୍ଲା ଅଦାଲତ ରାହୁଲ୍‌ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫,୦୦୦ ଟଙ୍କା ଜରିମାନା ‌କରିବା ପରେ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ରାହୁଲ୍‌ଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଆଜି କଂଗ୍ରେସ ଦେଶବ୍ୟାପୀ ଦିନିକିଆ ‘ସଙ୍କଳ୍ପ ସତ୍ୟାଗ୍ରହ’ ଚଳାଇଛି। ଦିଲ୍ଲୀର ରାଜଘାଟ ସମ୍ମୁଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ପି ଚିଦାମ୍ବରମ ଏବଂ ସଲମାନ ଖୁରସିଦଙ୍କ ଭଳି ଦଳର ବରିଷ୍ଠ ନେତୃବୃନ୍ଦ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।

ଦିଲ୍ଲୀରେ ଏହି ସତ୍ୟାଗ୍ରହର ନେତୃତ୍ବ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ତାଙ୍କ ପରିବାରକୁ ବାରମ୍ବାର ଅପମାନିତ କରାଯାଉଥିଲେ ବି ସେମାନେ ପ୍ରତିବାଦ କରିନାହାନ୍ତି। ପାର୍ଲାମେଣ୍ଟ୍‌ରେ ତାଙ୍କ ବାପାଙ୍କୁ ଅପମାନ ଦିଆଯାଇଛି ଏବଂ ତାଙ୍କ ଭାଇଙ୍କୁ ‘ମୀର୍‌ ଜାଫର୍‌’ ଡକାଯାଇଛି। ଆପଣଙ୍କ ମନ୍ତ୍ରୀମାନେ ସଂସଦରେ ମୋ ମାଆଙ୍କୁ ଅପମାନିତ କରିଛନ୍ତି। ଆପଣମାନଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ତାଙ୍କର ବାପା କିଏ ବୋଲି ମଧ୍ୟ ରାହୁଲ୍‌ ଜାଣିନାହାନ୍ତି। କିନ୍ତୁ, ସେଭଳି ଲୋକମାନଙ୍କ ଉପରେ କ‌ୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଏଭଳି ଲୋକମାନଙ୍କୁ ସଂସଦର ଅଯୋଗ୍ୟ ଘୋଷଣା କରାଯାଇନାହିଁ। ସେମାନଙ୍କୁ ଜେଲ୍‌ ପଠାଯାଇ ନାହିଁ। ବର୍ଷ ବର୍ଷ ଧରି ସେମାନଙ୍କୁ ନିର୍ବାଚନ ଲଢ଼ିବାରୁ ବିରତ କରାଯାଇ ନାହିଁ। ଏ ଦେଶର ପ୍ରଧାନମନ୍ତ୍ରୀ ଜଣେ ଭୀରୁ ବୋଲି ପ୍ରିୟଙ୍କା କହିଛନ୍ତି।

ଅନ୍ୟପଟେ ଦିଲ୍ଲୀ ପୋଲିସ କହିଛି ରାଜଘାଟ ଠାରେ ସଂକଳ୍ପ ସତ୍ୟାଗ୍ରହ କରିବା ପାଇଁ କଂଗ୍ରେସ ଅନୁମତି ଲୋଡିଥିଲା । ହେଲେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅନୁମତି ଦିଆଯାଇ ନାହିଁ । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ରାଜଘାଟ ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା ବେଣୁଗୋପାଳ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସଂସଦରେ ଆମ ସ୍ବରକୁ ଚାପି ଦିଆଯିବା ପରେ ଏବେ ବାପୁଙ୍କ ସମାଧିସ୍ଥଳ ନିକଟରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଇଁ ମଧ୍ୟ ସରକାର ମନା କରିଦେଇଛନ୍ତି । ବିରୋଧିଙ୍କର ସବୁ ପ୍ରତିବାଦକୁ ରୋକିବା ମୋଦି ସରକାରଙ୍କ ଅଭ୍ୟାସରେ ପଡିଗଲାଣି ।