ଓୟୋ ରୁମରେ ପ୍ରେମିକାର ଓଢ଼ଣୀରେ ଝୁଲି ପ୍ରେମିକଙ୍କ ଆତ୍ମହତ୍ୟା

ଭୁବନେଶ୍ବର : (ସଂକେତ୍ ଟିଭି) ଓୟୋ ରୁମରେ ପ୍ରେମିକାର ଓଢ଼ଣୀରେ ଝୁଲି ଜଣେ ପ୍ରେମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।

ମୃତ ଯୁବକ ହେଉଛନ୍ତି ନିଆଳି ଅଞ୍ଚଳର ଦୁର୍ଗା ପ୍ରସାଦ ମିଶ୍ର । ପ୍ରେମିକାଙ୍କ ଜନ୍ମଦିନ ପାଳନ ପାଇଁ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲର ଦୁଇଟି ରୁମ ବୁକ ହୋଇଥିଲା । ଏଥିରେ ଦୁର୍ଗାଙ୍କ ପ୍ରେମିକା ଓ ଦୁଇ ଜଣ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ଚାରିଜଣ ଜନ୍ମଦିନ ସେଲିବ୍ରେସନ କରିଥିଲେ । କେକ କଟା ସରିବା ପରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଦୁର୍ଗା ପ୍ରସାଦ ରାଗିଯାଇ କିଛି ସମୟ ବାହାରକୁ ଚାଲିଆସିଥିଲେ । ପରେ ସେ ହୋଟେଲର କାଚ ଭାଙ୍ଗି ଭିତରକୁ ପସିଥିଲେ । ଯାହାକୁ ନେଇ ପ୍ରେମିକାଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା ।

ପ୍ରେମିକାଙ୍କ କହିବା ଅନୁଯାୟୀ ସେ ୱାଶରୁମ ଯିବା ସମୟରେ ଦୁର୍ଗା ତାଙ୍କ ଓଢ଼ଣୀରେ ଝୁଲି ପଡ଼ିଥିଲେ । ସେ ୱାଶରୁମରୁ ଆସିବା ପରେ ଦୁର୍ଗା ଝୁଲନ୍ତା ଅବସ୍ଥାରେ ଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। ହୋଟେଲ ରୁମକୁ ସିଲ କରିଛି ଏବଂ ହୋଟେଲର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସ ମେଡ଼ିକାଲକୁ ପଠାଯାଇଛି ।

ତେବେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନି। ଅନ୍ୟପଟେ ଦୁର୍ଗା ପ୍ରସାଦଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ କହିଛନ୍ତି ଦୁର୍ଗା ପ୍ରସାଦଙ୍କ ସାଙ୍ଗମାନେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛନ୍ତି । ଫଳରେ ପୁଅ ଏପରି ଚରମ ନିଷ୍ପତ୍ତି ନେଇଛି । ଏହା ଏକ ଷଡଯନ୍ତ୍ର ବୋଲି ପରିବାର ଲୋକେ କହିଛନ୍ତି ।