ନୋଟ୍‌ ତୁଳନାରେ କଏନ୍‌ ତିଆରି ମହଙ୍ଗା

ନୂଆଦିଲ୍ଲୀ : (ସଂକେତ୍ ଟିଭି) କେବେ ଭାବିଛନ୍ତି ଆପଣ ବ୍ୟବହାର କରୁଥିବା ନୋଟ୍‌ କିମ୍ବା କଏନ୍‌ ତିଆରି କରିବା ପଛରେ କେତେ ଟଙ୍କା ଖର୍ଚ୍ଚ ହୁଏ ? ଆମେ ବ୍ୟବହାର କରୁଥିବା କାଗଜ ଟଙ୍କା କିମ୍ବା କଏନ୍‌ ତିଆରି ପାଇଁ ରିଜର୍ଭ ବ୍ୟାଙ୍କ କେତେ ଖର୍ଚ୍ଚ କରିଥାଏ ? ଦେଶରେ କଏନ୍‌ ଓ କାଗଜ ଟଙ୍କା ଛାପିବାର କାମ ଆରବିଆଇ କରିଥାଏ ଏବଂ ଆରବିଆଇର ମତ ଅନୁଯାୟୀ କାଗଜ ଟଙ୍କା ଛାପିବା ରେ ଯେତିକି ଖର୍ଚ୍ଚ ହୁଏ ଏହାଠୁ ୬ଗୁଣା ଅଧିକ ଟଙ୍କା କଏନ୍‌ ତିଆରି କରିବାରେ ଖର୍ଚ୍ଚ ହୋଇଥାଏ ।

ଏହା ସତେ୍ୱ ବି ରିଜର୍ଭ ବ୍ୟାଙ୍କ ବହୁ ସଂଖ୍ୟାରେ କଏନ୍‌ ତିଆରି କରିଥାଏ । ତେବେ ଆରବିଆଇ ଏପରି କାହିଁକି କରିଥାଏ ? ଏବଂ ଏହା ଦ୍ୱାରା ସାଧାରଣ ଲୋକ କିପରି ଲାଭବାନ ହୋଇଥାନ୍ତି ? ଯଦି ଏହାପଛରେ କିଛି କାରଣ ରହିଛି ତେବେ କାହିଁକି ବଡ ନୋଟର କଏନ୍‌ ବାହାର କରାଯାଉ ନାହିଁ ? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

ପ୍ରଥମେ ସବୁଠାରୁ ଛୋଟ ମୁଦ୍ରା ୧ଟଙ୍କା ବିଷୟରେ ଆଲୋଚନା କରିବା । ସୂଚନା ଅଧିକାର ଆଇନ ବଳରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତରଦେଇ ରିଜର୍ଭ ବ୍ୟାଙ୍କର ଅଧିକାରୀ କହିଛନ୍ତି କି ୧ଟଙ୍କାର ମୁଦ୍ରା ତିଆରି କରିବାର ମୂଲ୍ୟ ଏହାର ମୂଲ୍ୟଠାରୁ ବହୁ ଅଧିକ । ଅର୍ଥାତ ଗୋଟିଏ ୧ ଟଙ୍କିଆ କଏନ ତିଆରି କରିବା ପାଇଁ ପ୍ରାୟ ୧.୧ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ଟଙ୍କିଆ କଏନ୍‌ ତିଆରି ପାଇଁ ୧.୨୮ ଖର୍ଚ୍ଚ ହୋଇଥାଏ । ଯଦି ଦେଖାଯାଏ ତ ୫ଟଙ୍କା ପାଇଁ ୩.୬୯ ଏବଂ ୧୦ଟଙ୍କା ତିଆରି କରିବା ପାଇଁ ୫.୫୪ ଖର୍ଚ୍ଚ ହୋଇଥାଏ ।

ବର୍ତ୍ତମାନ ଯଦି ଆମେ ଉଭୟ ମୁଦ୍ରାକୁ ତୁଳନା କରିବା ତେବେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦ଟଙ୍କାର ଏକ ହଜାର କାଗଜ ନୋଟ ଛାପିବା ପାଇଁ ୯୬୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏହି ଅନୁଯାୟୀ ଗୋଟିଏ ନୋଟ୍‌ ଛାପିବା ପାଇଁ ୯୬ ପଇସା ଖର୍ଚ୍ଚ ହୋଇଥିବା ବେଳେ , ୧୦ ଟଙ୍କାର ଗୋଟିଏ କଏନ୍‌ ତିଆରି କରିବା ପାଇଁ ୫.୫୪ ଟଙ୍କା ଖର୍ଚ୍ଚ ହୋଇଥିଲା । ଅର୍ଥାତ କାଗଜ ନୋଟ୍‌ ତିଆରି ତୁଳନାରେ କଏନ ତିଆରି କରିବାରେ ୬ଗୁଣା ଅଧିକା ଖର୍ଚ୍ଚ ହୋଇଥାଏ । ଉଭୟ କଏନ୍‌ ଏବଂ ମୁଦ୍ରା ଛାପିବାକୁ ଯଦି ଆମେ ତୁଳନା କରିବା ତେବେ ଆରବିଆଇ ଏତେ ଟଙ୍କା କ୍ଷତି ସହିବା ପରେ ମଧ୍ୟ କିପରି ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛି । ତେବେ ଯଦି ବାସ୍ତବରେ ଦେଖିବା କାଗଜ ଟଙ୍କା ତୁଳନାରେ କଏନ୍‌ ତିଆରି ଅଧିକ ଲାଭଦାୟକ ।

ସବୁଠାରୁ ବଡ କଥା ହେଉଛି କାଗଜ ଟଙ୍କା ଛାପିବା ସମୟରେ ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ଫିଚରର୍ସ ବ୍ୟବହାର କରିବାର ଆବଶ୍ୟକତା ରହିଛି । କାଗଜ ନୋଟ ତିଆରି କରିବା ପାଇଁ ୧୫ରୁ ୧୭ ପ୍ରକାର ଫିଚରର୍ସର ବ୍ୟବହାର କରାଯାଇଥାଏ । କଏନ୍‌ ବର୍ଷ ବର୍ଷ ଧରି ଚାଲୁଥିବା ବେଳେ କାଗଜ ନୋଟ୍‌ କମ୍‌ ସମୟ ଚାଲିଥାଏ ଏବଂ ବେଳେ ବେଳେ କଏନ୍‌ ତୁଳନାରେ ନୋଟ୍‌ ଛାପିବା ମଧ୍ୟ ମହଙ୍ଗା ହୋଇଥାଏ । ବାସ୍ତବରେ କାଗଜ ନୋଟ୍‌ ଯେତେ ବଡ ହୋଇଥାଏ ଏହାକୁ ଛାପିବା ପାଇଁ କମ୍‌ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଆରବିଆଇ ର ସୂଚନା ଅନୁଯାୟୀ ୨୦ଟଙ୍କିଆ ନୋଟ୍‌ ଛାପିବା ପାଇଁ ୯୫ ପଇସା ଖର୍ଚ୍ଚ ହେଉଥିବା ବେଳେ ୫୦୦ ଟଙ୍କିଆ ନୋଟ୍‌ ଛାପିବା ପାଇଁ ୨.୨୯ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି କାଗଜ ଟଙ୍କାକୁ କଏନ୍‌ ସହ ତୁଳନା କରାଯାଏ ତେବେ ବଡ କଏନ୍‌ ତିଆରି କରିବା ଯେତିକି କଷ୍ଟ, ଗ୍ରାହକଙ୍କୁ ଏହା ବ୍ୟବହାର କରିବା ଏବଂ ପକେଟରେ ରଖିବା ସେତିକି କଷ୍ଟକର ।