ଅମୃତପାଲ୍‌ ସିଂହ ସହଯୋଗୀଙ୍କ ସହ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟଙ୍କ ପୁଅର ରହିଛି ଘନିଷ୍ଠତା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅମୃତପାଲ ସିଂହକୁ ଆର୍ଥିକ ପ୍ରୋତ୍ସାହନା ଦେଉଥିବା ଦଲଜିତ କାଲସି ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କ୍ବାମାର୍‌ ଜାଭେଦ୍ ବାଜୱାଙ୍କ ପୁଅଙ୍କର ଅତି ଘନିଷ୍ଠ ଥିଲେ। ଏହାର ଏକ ଫଟୋ ସାମନାକୁ ଆସିଛି ।

ସୂଚନା ଅନୁସାରେ, ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କ ସହ ପାକିସ୍ତାନର ସଂଯୋଗ ଥିବା ଗୁପ୍ତଚର ସଂସ୍ଥା ଦାବି କରିଛି। ଅମୃତପାଲ ସିଂହକୁ ଆର୍ଥିକ ପ୍ରୋତ୍ସାହନା ଦେଉଥିବା ଦଲଜିତ କାଲସି ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କ୍ବାମାର୍‌ ଜାଭେଦ୍ ବାଜୱାଙ୍କ ପୁଅଙ୍କର ଅତି ଘନିଷ୍ଠ ଥିଲେ। କାଲସି ଦୁବାଇସ୍ଥିତ ସାଦ ବାଜୱା କମ୍ପାନି ସହ ଜଡିତ ଥିବା କୁହାଯାଉଛି। ସେ ଏବେ ଦୁଇମାସ ପାଇଁ ଦୁବାଇ ଯାଇଥିବା ଜଣାପଡିଛି।

ସୂଚନା ରହିଛି ଯେ ଖଲିସ୍ତାନୀ ଆତଙ୍କବାଦୀ ଲଣ୍ଡା ହରିକେ ଦୁବାଇରେ କାଲସିଙ୍କ ରହଣି ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲା । ଆହୁରି ବି ସୂଚନା ରହିଛି ଯେ କାଲସି ପାକିସ୍ତାନୀ ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ କିମ୍ବା ଆଇଏସଆଇ ସହିତ ଯୋଗାଯୋଗରେ ଥିବା ପ୍ରମାଣ ରହିଛି।

ଖ‌ାଲି ଏତିକି ନୁହେଁ, କାଲସିର ବାମ୍ବିହା ଗ୍ୟାଙ୍ଗର ଜଣେ ଗ୍ୟାଙ୍ଗଷ୍ଟର ସହ ଘନିଷ୍ଠତା ଥିବା କଥା ଚର୍ଚ୍ଚା ହେଉଛି। ଦିଲ୍ଲୀର ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ନୀରଜ ବାୱାନିଆ ସହ କାଲସିର ସଂପର୍କ ଥିବା କୁହାଯାଉଛି।

ନିକଟ ଅତୀତରେ କାଲସି ଦିଲ୍ଲୀରେ ଏକ ଅଫିସ୍‌ ଖୋଲିଥିବା ବେଳେ ପଞ୍ଜାବରେ ମଡେଲ୍‌ ଓ ଚଳଚ୍ଚିତ୍ର ଏଜେଣ୍ଟ୍‌ ଭାବେ କାର୍ଯ୍ୟ କରୁଥି‌ଲେ। ତେବେ ସେ ଅମୃତପାଲର ଜଣେ ନିକଟତମ ବନ୍ଧୁ।