ପୁଣିଥରେ ରାଜ୍ୟରେ ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : (ସଂକେତ୍ ଟିଭି) କୋଭିଡ ସଂକ୍ରମଣ ରାଜ୍ୟରେ ପୁଣିଥରେ ବଢିବାରେ ଲାଗିଛି। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାରୀ ହସ୍‌ପିଟାଲର ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକଙ୍କୁ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଚିଠି ଲେଖି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକର ଏସ୍‌ସିବି, ବ୍ରହ୍ମପୁରର ଏମ୍‌କେସିଜି, ବୁର୍ଲାର ଭିମ୍‌ସାର ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ କୋଭିଡ ଆକ୍ରାନ୍ତଙ୍କ ପାଇଁ ୨୦ଟି ଲେଖାଏଁ ବେଡ୍‌ ଓ ୨ଟି ଆଇସିୟୁ ବେଡ ପ୍ରସ୍ତୁତ ରଖାଯିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ମେଡିକାଲ କଲେଜରେ ୧୦ଟି ବେଡ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ସଂକ୍ରମିତଙ୍କ ଲାଗି ୬ଟି ବେଡ ପ୍ରସ୍ତୁତ ରଖିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।