ପତ୍ନୀକୁ ବାଡ଼ିରେ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ
ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ଗହିରାବନ୍ଧ ଗ୍ରାମରେ ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦପିଇ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ। ଘରୋଇ କଳହକୁ ନେଇ ବିଳମ୍ବିତ ରାତିରେ ସ୍ତ୍ରୀ ମଞ୍ଜୁଲତାକୁ ସ୍ବାମୀ ଦୁର୍ଗା ମୁର୍ମୁ ଠେଙ୍ଗାରେ ପିଟିପିଟି ପ୍ରଥମେ ହାତ ଗୋଡ଼ ଭାଙ୍ଗିଲା ପରେ ମାରିଦେଇଥିବା ଜଣାପଡ଼ିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ସ୍ବାମୀକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ସେମାନେ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ରାଇବଣିଆ ପୁଲିସ ତଦନ୍ତ କରୁଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଗିରଫ କରିଛି।
ସେହିପରି ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ଛତ୍ରପୁର ଗାଁରେ ପତ୍ନୀକୁ ହତ୍ୟା କଲା ସ୍ୱାମୀ । ଏହି ଗାଁର ବୀର ସିଂ ତାର ପତ୍ନୀ କୁନି ସିଂକୁ ବାଡ଼ିରେ ପିଟିପିଟି ହତ୍ୟା କରିଛି । ଗତକାଲି ରାତିରେ ଉଭୟ ସାଙ୍ଗ ହୋଇ ଘରୁ ବାହାରକୁ ଆସିଥିଲେ। କିନ୍ତୁ ଘରକୁ ଫେରିବା ବେଳକୁ ବୀର ସିଂ ଏକା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ତେଣୁ ପରିବାର ଲୋକେ ରାତିରେ ଖୋଜାଖୋଜି କରି କୁନିଙ୍କୁ ପାଇନଥିଲେ।
ଆଜି ସକାଳେ କୁନିଙ୍କର ମୃତଦେହ ବିଲ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକେ ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରିବା ସହିତ ବୀର ସିଂକୁ ଅଟକ ରଖି ଅଧିକ ତଦନ୍ତ କରୁଛି।