ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ନିର୍ବାଚନ ଆୟୋଗ ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ମେ ୧୦ ତାରିଖରେ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ମେ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ୍ ୧୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍ ୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।
ସୂଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ଯୋଜନା କରାଯାଇଥିଲା।