ଝାରସୁଗୁଡାରୁ ଅପହୃତ ନାବାଳକକୁ ହତ୍ୟା ପରେ ପୋଡିଦେଲେ ଦୁର୍ବୁତ୍ତ

ଝାରସୁଗୁଡ଼ା : (ସଂକେତ୍ ଟିଭି)ଝାରସୁଗୁଡ଼ାରୁ ଅପହରଣ କରାଯାଇଥିବା ନାବାଳକ ସମର୍ଥ ଅଗ୍ରୱାଲ (୧୫)ଙ୍କ ହତ୍ୟା ପରେ ବରଗଡ ଜଙ୍ଗଲରେ ନିଆ ଲଗାଇ ଫିଙ୍ଗିଚାଲିଗଲେ ଦୁର୍ବୃତ୍ତ । ପୋଲିସ ଏହି ଘଟଣାରେ ଦୁଇ ଜଣକୁ ଗିରଫ କରିଛି ।

ସୂଚନା ଅନୁସାରେ, ଝାରସୁଗୁଡା ସହରର ଜଣେ ଅଟୋ ପାର୍ଟସ ଦୋକାନୀ ସୁନିତ ଅଗ୍ରୱାଲଙ୍କ ୧୫ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲଙ୍କୁ ଦୁର୍ବୁତ୍ତ ସୋମବାର ଅପହରଣ କରିନେଇଥିଲେ । ଅପହରଣକାରୀ ଅପହରଣ ପରେ ୫୦ ଲକ୍ଷ ଟଙ୍କା ମାଗିଥିଲେ । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ୩ଟି ଟିମ୍ ଗଠନ କରି ଅପରେସନ ଆରମ୍ଭ କରିଥିଲା । ପୋଲିସ ପ୍ରାୟ ୫୦ଟି ସ୍ଥାନର ସିସିଟିଭି ଚେକ୍ କରିଥିଲା ।

ଏତିକିବେଳେ ବରଗଡ଼ ଜିଲ୍ଲା ଭେଡେନ ଥାନା ଦେଶଭଟଲି ପାଖ ଝାଇଁ ଜୋର ନଦୀ ପାଖରେ ସମର୍ଥର ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସକୁ ମିଳିଥିଲା । ଘଟଣା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରୱାଲ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏମାନେ ବି ସୁନିତଙ୍କ ପାରିବାରିକ ବନ୍ଧୁ। ତେବେ ସମର୍ଥଙ୍କୁ ହତ୍ୟା ପଛରେ ଟଙ୍କା ଆଦାୟ କାରଣ ଥିଲା ନା ଆଉ କିଛି ପୋଲିସ ତଦନ୍ତ କରୁଛି ବୋଲି ଝାରସୁଗୁଡ଼ା ଏସ୍‌ପି ସ୍ମିତ୍‌ ପରମାର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।