୩୧ରୁ ଭଦ୍ରକରୁ ନୟାଗଡ଼କୁ ଗଡ଼ିବ ମେମୁ ଟ୍ରେନ୍
ଭୁବନେଶ୍ବର : (ସଂକେତ୍ ଟିଭି) ଚଳିତ ମାସ ୩୧ତାରିଖରୁ ଭଦ୍ରକ ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଚଳିତ ମାସ ୩୦ ତାରିଖ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଡ. ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ଏହାର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁସାରେ, ଏହି ସ୍ବତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୫ ଭଦ୍ରକରୁ ସକାଳ ୫ଟା ୪୫ରେ ବାହାରି କଟକରେ ୮ଟା ୪୨ରେ ପହଞ୍ଚିବ। ସେଠାରୁ ୮ଟା ୪୫ରେ ଛାଡ଼ି ଭୁବନେଶ୍ବରରେ ସକାଳ ୯ଟା ୩୨ରେ ପହଞ୍ଚି ୯ଟା ୩୭ରେ ନୟାଗଡ଼ ଟାଉନ ଅଭିମୁଖେ ଯାତ୍ରା କରିବ। ନୟାଗଡ଼ ଟାଉନରେ ଏହି ସ୍ବତନ୍ତ୍ର ଟ୍ରେନ୍ ୧୧ଟା ୫୫ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିପରି ନୟାଗଡ଼ ଟାଉନରୁ ଏହି ସ୍ବତନ୍ତ୍ର ପାସେଞ୍ଜର ମେମୁ ଟ୍ରେନ ନଂ-୦୮୫୫୬ ଅପରାହ୍ନ ୫ଟା ୦୫ରେ ଛାଡି ଭୁବନେଶ୍ବରରେ ସନ୍ଧ୍ୟା ୬ଟା ୪୦ରେ ପହଞ୍ଚିବ। ସେଠାରୁ ୬ଟା ୪୫ରେ ଭଦ୍ରକ ଅଭିମୁଖେ ବାହାରି କଟକରେ ୭ଟା ୨୯ରେ ପହଞ୍ଚି ଭଦ୍ରକରେ ରାତି ୧୦ଟା ୪୫ରେ ପହଞ୍ଚିବ।