ୟୁପିଆଇ ବ୍ୟବହାରକାରୀଙ୍କ ଠାରୁ ଆଦାୟ ହେବନାହିଁ କୌଣସି ଚାର୍ଜ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ମାଧ୍ୟମରେ କରାଯାଇଥିବା କାରବାରକୁ ନେଇ ଏକ ବଡ ସୂଚନା ଦିଆଯାଇଛି । ଏପ୍ରିଲ୍ ୧, ୨୦୨୩ରୁ ଆଦାୟ ହେବାକୁ ଥିବା କାରବାର ଶୁଳ୍କ ସମ୍ପର୍କରେ ଏନ୍ପିସିଆଇ ସ୍ପଷ୍ଟୀକରଣ ଜାରି କରିଛି । ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଆଦାୟ ରିପୋର୍ଟକୁ ଏନ୍ପିସିଆଇ ଅସ୍ୱୀକାର କରିଛି ।
ଏନ୍ପିସିଆଇ କହିଛି ଯେ ୟୁପିଆଇ ମାଧ୍ୟମରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଦେଶରେ ସର୍ବାଧିକ ୯୯.୯ ପ୍ରତିଶତ ୟୁପିଆଇ କାରବାର କେବଳ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କରାଯାଇଥାଏ । ଏନ୍ପିସିଆଇ କହିଛି ଯେ ଏଥିପାଇଁ ବ୍ୟାଙ୍କ କିମ୍ବା ଗ୍ରାହକଙ୍କୁ ୟୁପିଆଇ ଟ୍ରାଞ୍ଜାକ୍ସନ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ।
ଏନ୍ପିସିଆଇ କହିଛି ଯେ ଚାର୍ଜ କେବଳ ପିପିଆଇ (ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ) ଉପରେ ପ୍ରଯୁଜ୍ୟ ହେବ ଏବଂ ଏଥିପାଇଁ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ୟୁପିଆଇ ଅନୁଯାୟୀ, ପ୍ରତ୍ୟେକ ମାସରେ ୮ ବିଲିୟନ ୟୁପିଆଇ କାରବାର ଦେଶର ଗ୍ରାହକ ଏବଂ ବ୍ୟବସାୟୀମାନଙ୍କ ପାଇଁ ବିନା ମୂଲ୍ୟରେ ପ୍ରକ୍ରିୟାକରଣ କରାଯାଏ ।
ପୂର୍ବରୁ ସୂଚନା ମିଳିଥିଲା ଯେ ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ନିଷ୍ପତ୍ତି ନେଇଛି । ପ୍ରିପେଡ୍ ପେମେଣ୍ଟ୍ ଇନଷ୍ଟ୍ରୁମେଣ୍ଟ୍କୁ ବ୍ୟବହାର କରି କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚାଣ୍ଟ୍ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଲାଗୁ କରାଯିବ । ଯାହାକୁ ନେଇ ୟୁପିଆଇ ବ୍ୟବହାରକାରୀ ଚିନ୍ତାରେ ପଡିଯାଇଥିଲେ । ତେବେ ବର୍ତ୍ତମାନ ଏନପିସିଆଇ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ ବୋଲି କହିବା ପରେ ବ୍ୟବହାରକାରୀ ଆଶ୍ୱସ୍ତ ହୋଇଛନ୍ତି ।