ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଓଡିଶାକୁ ବିଶ୍ବ ବ୍ୟାଙ୍କ ଦେଇଛି ୮୨୨ କୋଟି ଟଙ୍କା ଋଣ
ଭୁବନେଶ୍ବର : (ସଂକେତ୍ ଟିଭି) ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ବିଶ୍ବ ବ୍ୟାଙ୍କ ଓଡିଶାକୁ ୧୦୦ ନିୟୁତ ଡଲାର ଅର୍ଥାତ ୮୨୨ କୋଟି ଟଙ୍କା ଋଣ ଦେଇଛି । ଏହି ଟଙ୍କା ଓଡିଶା ସରକାର ବିପର୍ଯ୍ୟୟର ପ୍ରାରମ୍ଭିକ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବ୍ୟବସ୍ଥା କରିବ । ଏହା ସହିତ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଗରିବ ଏବଂ ଦୁର୍ବଳ ପରିବାର ପାଇଁ ସାମାଜିକ ସୁରକ୍ଷା ଦେବା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ବିଶ୍ଵବ୍ୟାଙ୍କ ଆଶା ରଖିଛି ।
ବିଶ୍ବ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିଲା ବିବୃତ୍ତିରେ କୁହାଯାଇଛି ଯେ ଓଡ଼ିଶା ଷ୍ଟେଟ କାପାବିଲିଟି ଆଣ୍ଡ ରେସିଲିଏଣ୍ଟ୍ ଗ୍ରୋଥ ପ୍ରୋଗ୍ରାମ ମଲ୍ଟିହାର୍ଜଡ ଡିଜିଟାଲ ୱାର୍ଣ୍ଣିଂ ସିଷ୍ଟମ ଜରିଆରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ହ୍ରାସ କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମ ନଗଦ ହସ୍ତାନ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସୁରକ୍ଷା କଭରେଜକୁ ମଧ୍ୟ ବୃଦ୍ଧି କରିବ । ଉପକୂଳବର୍ତ୍ତୀ ଏବଂ ଅବହେଳିତ ସମୁଦାୟ ଅନଲାଇନ ଡେଲିଭରି ପ୍ଲାଟଫର୍ମ ମାଧ୍ୟମରେ ସହାୟତା ଗ୍ରହଣ କରିବେ ବୋଲି ବିଶ୍ବବ୍ୟାଙ୍କ କହିଛି ।
ବିଶ୍ବବ୍ୟାଙ୍କର ଭାରତ ପାଇଁ ନିୟୋଜିତ ଅଧିକାରୀ ବା ନିର୍ଦ୍ଦେଶକ ଅଗଷ୍ଟେ ତାନୋ କୁଆମେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ବର୍ତ୍ତମାନର ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ।