ପୋଲିସକୁ ଗୋଡ଼ାଇ ଗୋଡାଇ ଆକ୍ରମଣ କଲା ଅଭିଯୁକ୍ତ, ୫ ଆହତ
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଜାମୁଡ଼ିସାହିରେ ପୋଲିସ କର୍ମଚାରୀଙ୍କୁ ହାଣିଲା ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ଏଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ, କୋର୍ଟ ରୁ ଆସିଥିବା ସମନ୍ ଦେବାକୁ ପୋଲିସର ଏକ ଟିମ୍ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଜାମୁଡ଼ିହି ଗାଁର ପଦ୍ମଲୋଚନ ପାତ୍ର ନାମକ ଜଣେ ବାବାଙ୍କ ପାଖକୁ ଯାଇଥିଲା। ପୋଲିସକୁ ଦେଖି ଏହି ଅଭିଯୁକ୍ତ ବାବା ଜଣକ ସେମାନଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଦୀର୍ଘ ଘଣ୍ଟାର ଖଣ୍ଡଯୁଦ୍ଧ ପରେ ବାବାକୁ କାବୁ କରାଯାଇଛି। ସେପଟେ ଏହି ଆକ୍ରମଣରେ ନୀଳଗିରି ଥାନା ଏସ୍ଆଇ ବିରଞ୍ଚି ସାହୁ, ଏଏସ୍ଆଇ ପ୍ରବୋଧ ମଲିକ, ଅନନ୍ତ ମୁର୍ମୁ, କନଷ୍ଟେବଳ ଅର୍ଜୁ ମାଡ଼ିଙ୍ଗା ଓ ଦୀପକ ପ୍ରଧାନ ଲହୁ ଲୁହାଣ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଯୋଗ୍ଯ ଯେ ଅଭିଯୁକ୍ତ ବାବା ଜଣକ ୨୦୨୧ ମସିହାରେ ଏକ ହତ୍ୟା ଉଦ୍ୟମ ମାମଲାରେ ଜଡ଼ିତ ଥିଲେ। ସେ ପୂର୍ବରୁ ପୋଲିସ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରିଥିଲା। ଏନେଇ ନୀଳଗିରି ଆଇଆଇସି ଗୋପାଳ କର୍ଣ୍ଣ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।