ରାଜ୍ୟରେ ୯୭ ଶୀତଳ ଭଣ୍ଡାର ଅଚଳ

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ମୋଟ ୧୩୩ଟି ଶୀତଳ ଭଣ୍ଡାର ମଧ୍ୟରୁ ୯୭ଟି ଶୀତଳ ଭଣ୍ଡାର ଅଚଳ ହୋଇ ପଡିଛି । କେବଳ ମାତ୍ର ୩୬ଟି କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ଅଚଳ ଶୀତଳଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ବ୍ୟୟ ସାପେକ୍ଷ ହେଉଥିବାରୁ ତା ଠାରୁ କମ୍ ଖର୍ଚ୍ଚରେ ନୂଆ ଶୀତଳ ଭଣ୍ଡାର କରିବାର ଉଦ୍ୟମ କରାଯାଉଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ପ୍ରକାଶ କରିଛନ୍ତି ।

ଏକ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ଶୀତଳଭଣ୍ଡାରର ଅଭାବ ରହିଛି । ସେହି ଅଭାବକୁ ଦୂର କରିବା ପାଇଁ ସରକାର ରାଜ୍ୟରେ ୧୦୦୦ ନୂଆ ସବ୍‌ଜି କୁଲର (ଶୀତଳଭଣ୍ଡାର) ନିର୍ମାଣ କରୁଛନ୍ତି । ଅଚଳ ଶୀତଳଭଣ୍ଡାରକୁ ସଚଳ କରିବା ପାଇଁ ଯେତିକି ଅର୍ଥ ଦରକାର ପଡିବ ତା ଠାରୁ କମ୍ ଖର୍ଚ୍ଚରେ ନୂତନ ଶୀତଳ ଭଣ୍ଡାର କରାଯାଇ ପାରିବ । ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୦୦ କିଲୋଗ୍ରାମ ବିଶିଷ୍ଟ ୧୦୦୦ ସବଜି କୁଲର ନିର୍ମାଣ କରାଯାଉଛି ।
ଯେଉଁଥିରେ ୭୦ ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି । ଏଥିରେ ପ୍ରୋତ୍ସାହନ ରାଶି ବି ଅଛି । ସାଧାରଣ ଅଞ୍ଚଳ ପାଇଁ ୫୫ ପ୍ରତିଶତ ଯାହା ୨୨୦ ଲକ୍ଷ ଟଙ୍କା ଓ ସଂରକ୍ଷିତ ଅଞ୍ଚଳ ପାଇଁ ୭୦ ପ୍ରତିଶତ ଯାହା ୨୮୦ ଲକ୍ଷ ଟଙ୍କା ଅଟେ ।

ସେହିପରି ଶୀତଳୀକରଣ ଗୃହ ବି ନିର୍ମାଣ କରାଯିବ । ଏଥିରେ ୫୫ ରୁ ୭୦ ପ୍ରତିଶତ ରିହାତି ମିଳିବ । ସେହିପରି ପଞ୍ଚାୟତିରାଜ ବିଭାଗ, ଏସ୍‌ଏଚ୍‌ଜି ଓ କୃଷକଙ୍କ ସହଯୋଗରେ ସୌରଚାଳିତ ଶୀତଳ ଗୃହ ନିର୍ମାଣ କରାଯାଉଛି । ଇଛୁକ ଲୋକେ ପାଖ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ଆବେଦନ କରି ପାରିବେ ।

ସେ କହିଛନ୍ତି ଯେ, ରାଜ୍ୟରେ ୨ ଲକ୍ଷ୭୧ ହଜାର ୧୫୫ ହେକ୍ଟର ଜମିରେ ୩୧.୨୫ ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି । ବର୍ତମାନ ମହାଜୁଦ ଥିବା ଶୀତଳ ଭଣ୍ଡାର ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ । ବିଧାୟକ ସୁରେଶ ରାଉତରାୟଙ୍କ ଆମ୍ବ ଉତ୍ପାଦନ ସମ୍ପର୍କୀୟ ପ୍ରଶ୍ନର ଉତ୍ତର ଦେଇ କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଆମ୍ବ ୧୩ ଡିଗ୍ରୀ ତାପମାତ୍ରାରେ ୧୪ ରୁ ୨୧ ଦିନ ରହି ପାରିବ । ତେବେ ଏହାକୁ ଅଧିକ ଦିନ ସଂରକ୍ଷିତ ରଖିବା ପାଇଁ ଶୀତଳୀକରଣ ଗୃହର ଆବଶ୍ୟକତା ରହିଛି । ଚାଷୀଙ୍କ ଆବଶ୍ୟକତା
ଅନୁସାରେ ଆବେଦନ କଲେ ଶୀତଳୀକରଣ ଗୃହ ଯୋଗାଇ ଦିଆଯିବ । ହେଲେ କେବଳ ଚାଷୀଙ୍କ ଆବଶ୍ୟକତାକୁ ଦେଖି ଏହା ଦିଆଯିବ । ରାଜ୍ୟ ସରକାର କ୍ଲଷ୍ଟର ବେସଡ ଭାବେ ଚାଷୀଙ୍କୁ ଶୀତଳୀକରଣ ଗୃହ ପ୍ରଦାନ କରିବେ ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ପ୍ରବଧାନ କମି କମି ଯାଉଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବସିଡ଼ି ବ୍ୟବସ୍ଥା କରିଛନ୍ତି । ଅନ୍ୟ କୌଣସି ରାଜ୍ୟ ସବସିଡ଼ି ଦେଉ ନଥିବା ବେଳେ ଓଡ଼ିଶା ଦେଉଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଗୃହକୁ ଅବଗତ କରିଛନ୍ତି । ଏଥି ସହିତ ଉଦ୍ୟାନ କୃଷି ବାବଦରେ କେନ୍ଦ୍ରୀୟ ଅନୁଦାନ କମୁଛି । ତେଣୁ ବିଜେପି ବିଧାୟକ ମାନେ କେନ୍ଦ୍ରକୁ କହି ସେ ପ୍ରାପ୍ୟ ରାଜ୍ୟକୁ ଦିଅନ୍ତୁ ବୋଲି କୃଷିମନ୍ତ୍ରୀ ନିବେଦନ କରିଛନ୍ତି ।