ଆସିଲା ନୂଆ ଅବକାରୀ ନୀତି, ବଢିବ ମଦ ଦର, ନୂଆ ଦୋକାନକୁ ମନା
କଟକ : (ସଂକେତ୍ ଟିଭି) ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କ(ଏକ୍ସାଇଜ୍ ଡ୍ୟୁଟି)ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହାସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ । ସମସ୍ତ ପ୍ରକାରର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି ।
ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଂଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ ନିମନ୍ତେ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । କେବଳ ସହରାଂଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଜାରି କରିଥିବା ଅବକାରୀ ନୀତିରେ ଏହା ଉଲ୍ଲେଖ ରହିଛ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା
ନୂଆ ଅବକାରୀ ନୀତି ଆସନ୍ତା ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି, ଏମଜିକ୍ୟୁ(ସର୍ବନିମ୍ନ ନିଶ୍ଚିତ ପରିମାଣ), ମଦ ପ୍ରସ୍ତୁତ ପାଇଁ ଆବେଦନ ଫି, ଯୋଗାଣକାରୀ ଓ ରିଟେଲର ଫିରେ ସାମାନ୍ୟ ବୃଦ୍ଧି କରିଛନ୍ତି ଅନ୍ ସପ୍ ମଦଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେକଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଢ଼ିବ ତେବେ କେବଳ ଏଫଏଲ୍ ଅନ୍ ଲାଇସେନ୍ସଧାରୀଙ୍କୁ ଓଡ଼ି଼ଶା ମଦ ନିଗମରୁ କେଜ୍ ବିୟର ଉଠାଇବାକୁ ଅନୁମତି ରହିଛି । ବିୟର ପାର୍ଲରଗୁଡ଼ି଼କ ବିୟର ବିକ୍ରି ସହ ୱାଇନ୍ ମଧ୍ୟ ବିକ୍ରି କରିପାରିବେ ।
ଏହାସହିତ ଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ଉପରେ ଅବକାରୀ ଟିକସ ସାମାନ୍ୟ ବୃଦ୍ଧି କରିଛନ୍ତି । ତେବେ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ(ଏଫଏମଏଫଏଲ୍ ) , ୱାଇନ୍ ଓ ବିୟର ଦର ଅପରିବର୍ତ୍ତିତ ରହିବ । ରାଜ୍ୟ ସରକାର ଇଜି ଅଫ ଡୁଇଙ୍ଗ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍, ଲାଇସେନ୍ସ, ପେମେଣ୍ଟ ଅ ।ଦି ଫାଇଭ-ଟିକୁ କାର୍ଯ୍ୟକାରୀ କରିଛନ୍ତି ।