ଶାସନ କେନାଲକୁ ଖସି ପଡିଲା ବରଯାତ୍ରୀ ଗାଡ଼ି, ୭ ମୃତ

ସମ୍ବଲପୁର : (ସଂକେତ୍ ଟିଭି) ସମ୍ବଲପୁରର ତ ଶାସନ କେନାଲକୁ ଏକ ବୋଲେରୋ ଗାଡ଼ି ଖସି ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ମିଳିଛି। ଏହି ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି, ଶତ୍ରୁଘ୍ନ ଭୋଇ ଓ ରମାକାନ୍ତ ଭୟର। ଶତ୍ରୁଘ୍ନ ଭୋଇ ଗାଡ଼ିଚାଳକ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ଏମାନେ ଏକ ବିବାହ ବରଯାତ୍ରୀ ଭାବେ ଯୋଗଦେବା ପାଇଁ ପରମାଣପୁରକୁ ଆସିଥିଲେ । ଭୋଜି ଖାଇ କନ୍ୟା ଘରୁ ବରଯାତ୍ରୀ ଯାଇଥିବା କିଛି ଲୋକେ ନିଜ ଘର ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଗ୍ରାମକୁ ବାହାରିଥିଲେ । ଫେରିବା ବେଳକୁ ପ୍ରବଳ ବର୍ଷା ହେଉଥିଲା । ଏହି ସମୟରେ ଗୋଟିଏ ବୋଲେରୋ ରେ ୧୧ ଜଣ ବାହାରିଥିଲେ । ତେବେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିକୁ ପହଞ୍ଚିବା ମାତ୍ରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରକୁ ପଶି ଯାଇ ଓଲଟି ପଡ଼ିଥିଲା ।

ଏହି ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା । ଗାଡ଼ିଟି ଓଲଟି ପଡ଼ିବାରୁ ଗାଡ଼ି ଭିତରେ ଥିବା ଯୁବକମାନେ ସମସ୍ତେ ବାହାରି ପାରିନଥିଲେ । ତେବେ କୌଶଳକ୍ରମେ ଜଣେ ଯୁବକ ବାହାରି ତାଙ୍କ ସମ୍ପର୍କୀୟମାନଙ୍କୁ ଫୋନ କରିଥିଲେ। ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।