୧୦ ମାସ ପରେ ଜେଲ୍ରୁ ବାହାରିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ
ଚଣ୍ଡିଗଡ : (ସଂକେତ୍ ଟିଭି) ପ୍ରାୟ ଦଶ ମାସ ଜେଲରେ ରହିବା ପରେ ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁ ଆଜି ପଟିଆଲା ଜେଲ୍ରୁ ମୁକୁଳିଛନ୍ତି । ୩୪ ବର୍ଷ ତଳେ ସେ ହିଟ୍ ଆଣ୍ଡ ରନ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଜେଲ୍ରେ ଥଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଗତବର୍ଷ ୫୯ ବର୍ଷୀୟ କଂଗ୍ରେସ ନେତା ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରଯାଇଥିଲା ।
ଜେଲ୍ରୁ ମୁକୁଳିବା ପରେ ସିଦ୍ଧୁଙ୍କୁ ସ୍ୱାଗତ କରିବା ପାଇଁ ପଟିଆଲା ଜେଲ ବାହାରେ ଅନେକ କଂଗ୍ରେସ ନେତା ଓ ସମର୍ଥକ ଏକତ୍ରିତ ହୋଇଥିଲେ। ସେମାନଙ୍କୁ ଢୋଲ୍ ବଜାଇ ‘ନବଜୋତ ସିଦ୍ଧୁ ଜିନ୍ଦାବାଦ’ ନାରା ଦେଉଥିବାର ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ସିଦ୍ଧୁଙ୍କ ସମର୍ଥକମାନେ ପଟିଆଲା ସହରର ଅନେକ ସ୍ଥାନରେ ନବଜୋତ ସିଦ୍ଧୁଙ୍କର ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ତାଙ୍କର ସ୍ବାଗତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ଦଣ୍ଡ ହୋଇଥିଲା। ଗତ ବର୍ଷ ମେ ମାସରେ ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କ ବ୍ୟବହାର ଓ ଆଚରଣରେ ଭଲ ପ୍ରଦର୍ଶନ ପାଇଁ ଜେଲରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କୁ ବାହାର କରାଯାଉଥିବା ମଧ୍ୟ ସୂଚନା ମିଳିଛି ।
୧୯୮୮ ଡିସେମ୍ବର ୨୭ ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାରରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ । ଏହି ମାମଲାର ଶୁଣାଣି ଜାରି ରହିଥିବା ବେଳେ ଗତବର୍ଷ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।