ଏପ୍ରିଲରୁ ଜୁନ୍‌‌ ମାସ ଯାଏଁ ରାଜ୍ୟରେ ଅନୁଭୂତ ହେବ ପ୍ରବଳ ତାତି

ଭୁବନେଶ୍ବର : (ସଂକେତ୍ ଟିଭି) ପ୍ରିଲରୁ ଜୁନ୍‌‌ ମାସ ଯାଏଁ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି । ଏହି ୩ ମାସର ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ।

ଉତ୍ତର ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୧-୨ଟି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମ୍‌ଡି ପକ୍ଷରୁ ଆସନ୍ତା ଗ୍ରୀଷ୍ମ ପାଇଁ ଜାରି ହୋଇଥିବା ସିଜିନାଲ ଆଉଟଲୁକ୍‌‌ ଫୋରକାଷ୍ଟରେ ଏନେଇ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି।

ଆଇଏମ୍‌‌ଡିର ଆକଳନ ଅନୁସାରେ ଦିନରେ ଖରା ତାତି ଓ ରାତିରେ ପ୍ରବଳ ଗରମ ଏଥର ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିବ। ଏଥିରୁ ଓଡ଼ିଶାବାସୀ ବି ମୁକୁଳି ପାରିବେନାହିଁ। ଦିନ ତ’ ଦିନ ରାତିରେ ବି ଶାନ୍ତିରେ ଟିକେ ଶୋଇ ହେବନାହିଁ। ଦକ୍ଷିଣ ଉପଦ୍ବୀପ ଭାରତ ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳକୁ ଛାଡ଼ିଦେଲେ ଦେଶର ଅଧିକାଂଶ ସ୍ଥାନରେ ଏହି ତିନି ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଢେର୍‌ ଅଧିକ ରହିବ। ସେହିଭଳି ଦେଶର ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ବି ଅଧିକ ରହିବ। ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଭାରତର କିଛି ଅଞ୍ଚଳରେ ରାତି ତାପମାତ୍ରା କିଛିଟା କମ୍‌ ରହିପାରେ।

ଆଇଏମ୍‌‌ଡିର ପୂର୍ବାନୁମାନ ଅନୁଯାୟୀ ଚଳିତ ଏପ୍ରିଲ ମାସରେ ରାଜ୍ୟରେ ତାପମାତ୍ରା ମିଶ୍ରିତ ରହିବ। ଅର୍ଥାତ୍‌‌ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ରହିବାକୁ ଥିବାବେଳେ କିଛି ସ୍ଥାନରେ ଏହା ସ୍ୱାଭାବିକଠାରୁ ଅଧିକ ରହିବ। ତେବେ ଓଡ଼ିଶା ସମେତ ଦେଶର ପ୍ରାୟ ୧୦ ରାଜ୍ୟରେ ଏପ୍ରିଲ ମାସରେ ସର୍ବାଧିକ ତାତି ଅନୁଭୂତ ହୋଇପାରେ। ସେହିପରି ମେ ଓ ଜୁନ୍‌‌ ମାସରେ ରାଜ୍ୟବ୍ୟାପୀ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବାକୁ ଥିବାବେଳେ ଉତ୍ତର ଉପକୂଳ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବେଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୋଳ, ଢେଙ୍କାନାଳ ସହ ଆଉ କେତେକ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହୋଇପାରେ।