EntertainmentLatest

ଇସାଙ୍କୁ ବିବାହ କରିବେ ବାଦ୍‌ଶାହ

ମୁମ୍ବାଇ : (ସଂକେତ୍ ଟିଭି) ଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ପ୍ରତିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ । ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବାଦଶାହ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସ୍ମିନଙ୍କଠାରୁ ଅଲଗା ହୋଇଥିଲେ । ଏହା ପରେ ପରେ ସେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହୋଇଥିଲା । କିଛି ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଏବେ ବାଦଶାହ, ଇଶାଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ମୁତାବକ, ଦୁହେଁ ଚଳିତ ମାସରେ ବିବାହ କରିବେ । ବଡ଼ ଆକାରରେ ବିବାହ ନକରି ଦୁହେଁ ଗୁରୁଦ୍ୱାରରେ ବିବାହ କରିବେ ବୋଲି ଜଣାପଡ଼ିଛି । ବାଦଶାହ ଏବଂ ଇଶା ଜଣେ ବନ୍ଧୁଙ୍କ ପାର୍ଟିରେ ପରସ୍ପରକୁ ଭେଟିଥିଲେ । ଚଳଚ୍ଚିତ୍ର ଏବଂ ସଙ୍ଗୀତକୁ ନେଇ ଦୁହିଁଙ୍କ ପସନ୍ଦ ସମାନ ହେତୁ ବାଦଶାହ ଓ ଇଶାଙ୍କ ସମ୍ପର୍କ ନିବିଡ ହୋଇଥିଲା । ତେବେ ଏହି ଚର୍ଚ୍ଚାକୁ ନେଇ ବାଦଶାହ ଓ ଇଶା କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ହେଲେ ବାଦଶାହଙ୍କ ସହ କାମ କରୁଥିବା ଜଣେ ପୂର୍ବତନ କର୍ମଚାରୀ ବିବାହ ଖବରକୁ ନିଶ୍ଚିତ କରିଛନ୍ତି ।

ତେବେ ଇଶା ରିଖୀ ଜଣେ ପଞ୍ଜାବୀ ଅଭିନେତ୍ରୀ ଏବଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ୨୦୧୩ ରେ ଇଶା ଫିଲ୍ମ ଜଟ୍ ବଏଜ୍ ପୁତ ଜଟ୍ଟା ଦେ ସହିତ ପଞ୍ଜାବୀ ଫିଲ୍ମରେ ଡେବ୍ୟୁ କରିଥିଲେ । ଇଶା ରିଖୀ ପଞ୍ଜାବୀ ସିନେମାର ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି । ଇଶା ବଲିଉଡ ଫିଲ୍ମ ନବାବଜାଦେରେ ମଧ୍ୟ କାମ କରିଥିବା ବେଳେ ଅନେକ ମ୍ୟୁଜିକ ଭିଡିଓରେ ସେ ଅଭିନୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ବାଦଶାହ ପୂର୍ବରୁ ୨୦୧୨ରେ ଖ୍ରୀଷ୍ଟିଆନ ରୀତିନୀତିରେ ଜସ୍ମିନଙ୍କୁ ବିବାହ କରିଥିଲେ । ଗଣମାଧ୍ୟମରେ ଏହି ଖବର ଆସିନଥିବାରୁ ବାଦଶାହଙ୍କ ପ୍ରଶଂସକ ଏବିଷୟରେ ଜାଣିନଥିଲେ । ବିବାହ ପରେ ଜାନୁଆରି ୨୦୧୭ରେ ବାଦଶାହ ଓ ଜସ୍ମିନ ଏକ ଶିଶୁକନ୍ୟାର ମାତାପିତା ହୋଇଥିଲେ । ଏହା ପରେ ୨୦୨୦ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା ।