ନାଥୁଲା ଘାଟିରେ ପ୍ରବଳ ହିମସ୍ଖଳନ; ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ

ଗାଙ୍ଗଟକ୍: (ସଂକେତ୍ ଟିଭି) ସିକିମର ନାଥୁଲା ଘାଟିରେ ପ୍ରବଳ ହିମସ୍ଖଳନ ଯୋଗୁଁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ଯରୁ ଚାରି ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଓ ଶିଶୁ ଅଛନ୍ତି । ହିମସ୍ଖଳନରେ ୮୦ ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଫସିରହିଥିବା ଆଶଙ୍କା କରାଯାଉଛି । ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।

ସୂଚନା ମୁତାବକ ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ୨୦ ମିନିଟ୍ ସମୟରେ ନାଥୁଲା ଓ ଗ୍ୟାଙ୍ଗଟକକୁ ସଂଯୋଗ କରୁଥିବା ଜବହାରଲାଲ ନେହେରୁ ରାସ୍ତାରେ ଏପରି ବଡ ଧରଣର ହିମସ୍ଖଳନ ହୋଇଛି । ବରଫ ଅତଡା ଖସିବା ଯୋଗୁଁ ଗୋଟିଏ ଟୁରିଷ୍ଟ ବସ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ମଧ୍ୟକୁ ପଡିଥିଲା । ଯେଉଁ କାରଣରୁ ୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏ ଯାଏଁ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ । ୮୦ ରୁ ଅଧିକ ପର୍ଯ୍ୟଟକ ବରଫ ତଳେ ଫସିରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଅଞ୍ଚଳକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ବିଭିନ୍ନ ଯାନବାହାନ ଡ୍ରାଇଭର ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଏବଂ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ମାସେ ହେଲାଣି ସିକିମରେ ପ୍ରବଳ ତୁଷାରପାତ ଲାଗି ରହିଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଜବାହାରଲାଲ ନେହେରୁ ରୋଡରେ ୧୩ ମାଇଲ ଯାଏଁ ଯିବାକୁ ଅନୁମତି ଦିଆଯାଇଥିଲା । ହେଲେ ସେମାନେ ବିନା ଅନୁମତିରେ ୧୫ ମାଇଲ ପର୍ଯ୍ୟନ୍ତ ଯାଇଥିଲେ । ଯେଉଁ କାରଣରୁ ହିମସ୍ଖଳନ ପରେ ସମସ୍ତେ ଫସି ଯାଇଥିଲେ ।