ପହଁରା ଶିଖିବାକୁ ଯାଇ ନଦୀରେ ବୁଡିଗଲେ ୩ ଛାତ୍ର
ଭଦ୍ରକ : (ସଂକେତ୍ ଟିଭି) ସାଳନ୍ଦୀ ନଦୀରେ ବୁଡି ୩ ଛାତ୍ରଙ୍କ ପ୍ରାଣହାନି ଘଟିଥିବାର ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ଲାଙ୍ଗୁଡି ନିକଟ ସାଳନ୍ଦୀ ନଦୀରେ ଏହି ଅଘଟଣ ଘଟିଛି । ମୃତକ ୩ ନାବାଳକ ହେଲେ ହରିହରପୁରର ପ୍ରଣୟ ଲେଙ୍କା(୧୭), ଶ୍ରୀଧରପୁରର ସ୍ମୃତିରଂଜନ ସ୍ବାଇଁ (୧୭) ଓ ରଜତ ଜେନା(୧୬)। ସମସ୍ତ ମୃତକ କୋରକୋରା ଅଞ୍ଚଳ ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ସୂଚନା ଅନୁସାରେ, ମଙ୍ଗଳବାର ଦିନ ୫ ଜଣ ଛାତ୍ର ସାଳନ୍ଦୀ ନଦୀକୁ ପହଁରା ଶିଖିବା ପାଇଁ ଯାଇଥିଲେ । ସେଠାରେ ଛାତ୍ରମାନେ ଗାଧୋଉଥିବା ସମୟରେ ପାଣି ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ୩ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ପରେ ଆଉ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।