୧୦ କୋଟିର ଜମି ଦଖଲ ଘଟଣା: ଆଉ ୫ ଅଭିଯୁକ୍ତ ଗିରଫ
ଭୁବନେଶ୍ବର : (ସଂକେତ୍ ଟିଭି) ରାଜଧାନୀରେ ଜମି ଦଲାଲ୍ ଗ୍ୟାଙ୍ଗ ଅନ୍ୟ ୫ ଅଭିଯୁକ୍ତଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ସେମାନେ ହେଲେ ନବ କିଶୋର ପରିଡା, ସନ୍ଦୀପ ନାଥ, ଶ୍ରୀନିବାସ ସାହୁ , ପ୍ରଶାନ୍ତ ସ୍ୱାଇଁ ଓ ଆଦିତ୍ୟ ପାଇକରାୟ। ଅଭିଯୁକ୍ତମାନେ ଲୋକଙ୍କୁ ଡରେଇ ଧମକେଇ ମାଡ଼ ମାରି ଜାଗା ପଜେସନ ନେଉଥିଲେ। ବିବାଦୀୟ ଜମି ଉପରେ ଏମାନଙ୍କ ଅଧିକ ନଜର ରହିଥାଏ। ପଜେସନ୍ ପାଇଁ ଜେସିବି ଲଗେଇ ଘର ଓ ଦୋକାନ ଭାଙ୍ଗିଥାନ୍ତି।
ପ୍ରେସିଡେନ୍ସି ପଛରେ ଦଶ କୋଟି ଟଙ୍କା ମୃଲ୍ୟର ଏକ ବିବାଦୀୟ ଜମିକୁ ନେଉଥିଲେ ପୋଜେସନ। ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ । ୨୫ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ଏହି ଅଭିଯୋଗ ପରେ ପୁଲିସ ଚନ୍ଦକା ଥାନା ଅନ୍ତର୍ଗତ ମଳିପଡ଼ାର ନକୁଳ ମହାକୁଡ, ନିଳାଦ୍ରୀ ବିହାରର ଆଶିଷ ଜେନା, ବରମୁଣ୍ଡାର ଦୀପକ କୁମାର ଦାସ, ସାଇନ୍ସ ପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ କୁମାର ପାତ୍ର, ଡେଲାଙ୍ଗର ପ୍ରଦୀପ କୁମାର ବଳିଆର ସିଂହ ଓ ଅନ୍ଧାରୁଆର ଆଶିଷ କୁମାର ରାୟଙ୍କୁ ଗିରଫ କରିଥିଲା।