ବିଜେଡି ନେତାଙ୍କ ଉପରେ ଆୟକର ବିଭାଗର ଘନ ଘନ ଚଢାଉ

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟରେ ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ରେଡ୍ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଏକାସାଙ୍ଗରେ ରାଜ୍ୟର ଗଂଜାମ, ନୟାଗଡ, ଭୁବନେଶ୍ୱର, ସୋର, ଢେଙ୍କାନାଳରେ ଏହି ଚଢାଉ ଚାଲିଛି । ଚର୍ଚ୍ଚା ହେଉଛି ଚଢାଉ କରାଯାଉଥିବା ବ୍ୟକ୍ତିମାନଙ୍କର ବିଜେଡି ସହିତ ଲିଙ୍କ ଥିବା କୁହାଯାଉଛି । ଏମାନେ କୁଆଡେ ରାଜନୈତିକ ଦଳକୁ ଫଣ୍ଡିଂ କରୁଥିବା କୁହାଯାଉଛି ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଜଣାଶୁଣା ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ବ୍ରହ୍ମପୁର ଲୋଡାପଡା ସ୍ଥିତ କାର୍ଯ୍ୟାଳୟ, ଓ କ୍ରସର ୟୁନିଟରେ ଆଇଟି ବିଭାଗ ଚଢାଉ କରିଛି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବିଜେଡି ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଆଇଟି ବିଭାଗର ଦୁଇଟି ଟିମ୍ ତାଙ୍କ ବାଗୁଡି ସ୍ଥିତ ଘର, ଖାଦାନ, କଲ୍ୟାଣ ମଣ୍ଡପ ଓ ପେଟ୍ରୋଲ ପମ୍ପରେ ଚଢାଉ କରାଯାଇ ବିଭିନ୍ନ କାଗଜ ପତ୍ରକୁ ଯାଂଚ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଂଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ତହସିଲ ଅନ୍ତର୍ଗତ ବିଛାଖଣ୍ଡି, ରାହାଡପୁର ଓ ଚଡେଇଧରାର ବିଭିନ୍ନ କ୍ରସର ୟୁନିଟ୍ ଓ ପେଟ୍ରୋଲ ପମ୍ପ ଉପରେ ଚଢାଉ କରାଯାଇଛି ।

ସେପଟେ ବିଜେଡି ଅଭିଯୋଗ କରିଛି ଯେ ଆକ୍ରୋଷ ମୂଳକ ହୋଇ ଏହି ଚଢାଉ କରାଯାଉଛି । ବିଜେପି ଏହାର ଜବାବ ରଖିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯଦି ଭୁଲ କରି ନାହାଁନ୍ତି ତାହାଲେ ଡରୁଛନ୍ତି କାହିଁକି ।