ଜିଏସ୍‌ଟି ଅଧିକାରୀଙ୍କ ବ୍ୟାଙ୍କ ଲକରରୁ ମିଳିଲା ବିପୁଳ ସୁନା ବିସ୍କୁଟ ଓ ଟଙ୍କା

ପାରାଦୀପ: (ସଂକେତ୍ ଟିଭି) ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ କରାଯାଇ ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା ଜବତ କରାଯାଇଛି । ଭିଜିଲାନ୍ସ ଯାଞ୍ଚ ବେଳେ ୨ଟି ଲକରରୁ ୧.୦୬୦ କିଲୋ ସୁନା ଗହଣା ସମେତ ୧୯ଟି ସୁନା ବିସ୍କୁଟ ଠାବ ହୋଇଛି। ପୂର୍ବରୁ ମିଳିଥିବା ସୁନାଗହଣା ମିଶାଇ ମୋଟ ୬୪ ଲକ୍ଷ ଟଙ୍କାର ଗହଣା ଠାବ ହୋଇଛି। ସେହିପରି ତାଙ୍କ ଠାରୁ ନଗଦ ୬ ଲକ୍ଷ ୫୯ ହଜାର ଟଙ୍କା, ୧କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ବୀମା ଓ ମୁଚୁଆଲ ଫଣ୍ଡରେ ନିବେଶ ଆଦି ଠାବ ହୋଇଛି।

କାର୍ଯ୍ୟାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଲକରରୁ ୫.୪ ଲକ୍ଷ ଟଙ୍କା ଜବତ ହୋଇଛି । ମୋଟ ଏକ କୋଟି ୪ ଲକ୍ଷ ଟଙ୍କାର ବ୍ୟାଙ୍କଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଠାବ କରାଯାଇଛି । କଟକ CDA ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ସିନ୍ଧ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଭିଜିଲାନ୍ସ ସର୍ଚ୍ଚ ଚଳାଇଛି। ଜବତ ସୁନା ମଧ୍ୟରେ ୨୬ ଲକ୍ଷ ଟଙ୍କାର ୧୯ଟି ସୁନା ବିସ୍କୁଟ ରହିଥିବା ସୂଚନା ରହିଛି ।

ଚିତରଞ୍ଜନ ଭିଜିଲାନ୍ସ ରିମାଣ୍ଡରେ ଏପ୍ରିଲ ୧୩ ଯାଏଁ ରହିଛନ୍ତି । ଏକ ବ୍ୟବସାୟୀକ ପ୍ରତିଷ୍ଠାନର ଜିଏସଟି ମାମଲା ରଫାଦଫା ଓ ଜବତ ହୋଇଥିବା ସାମଗ୍ରୀ ଫେରାଇବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ଆଗରୁ ମଧ୍ୟ ଅନେକ ଅଭିଯୋଗ ଚିତ୍ତରଂଜନ ମହାନ୍ତିଙ୍କ ବିରୋଧରେ ରହିଥିଲା । ଭିଜିଲାନ୍ସର ତିନୋଟି ଟିମ୍ କେନ୍ଦ୍ରାପଡ଼ାର ପୈତୃକ ଘର, କଟକର ନିଜ ଘର ଓ ପାରାଦୀପ କାର୍ଯ୍ୟାଳୟରେ ଚଢାଉ କରିଥିଲା ।