୮ କୋଟି ଟଙ୍କା ଠକେଇ ମାମଲାରେ ଏସବିଆଇ ଡେପୁଟି ମ୍ୟାନେଜର ଗିରଫ

ଭୁବନେଶ୍ବର : (ସଂକେତ୍ ଟିଭି) ୮ କୋଟି ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଫୁଲବାଣୀ ଏସବିଆଇ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଥିଲେ ଆଶୁତୋଷ । ସେ ଡେପୁଟି ମ୍ୟାନେଜର ଓ ଫିଲଡ ମ୍ୟାନେଜର ବି ଥିଲେ । ଏହି ସମୟରେ ସେ ବେଆଇନ୍‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ୍‌ ଲୋନକୁ ଅନୁମତି ଦେଇଥିଲେ । ସେହିପରି ୨୬ଟି ପେନସନ ଲୋନ ପାଇଁ ବି ଅନୁମତି ଦେଇଥିଲେ। ଯେଉଁମାନେ ପେନସନ ପାଇବା ଯୋଗ୍ୟ ନୁହନ୍ତି ସେମାନକୁ ମଧ୍ୟ ଅନୁମତି ଦେଇଥିଲେ । ଏହି ସମୟରେ ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କାର ଠକେଇ କରିଥିଲେ । ଠକେଇ ଟଙ୍କା ନିଜର ପରିବାର ଲୋକଙ୍କୁ ଟ୍ରାଞ୍ଜାକ୍ସନ କରିଥିଲେ । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଏହି ଘୋଟାଲା ହୋଇଥିଲା ।

ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏ ନେଇ ଇଓଡବ୍ଲୁରେ ଅଭିଯୋଗ କରିବା ପରେ ଇଓଡବ୍ଲୁ ତାଙ୍କ ବିରୋଧରେ ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ବି ଧାରାରେ ମାମଲା ଋୁଜୁ କରିଥିଲା। ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ସେ ନିଜର ସଂପର୍କୀୟ ଓ ପରିଚିତ ଲୋକଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି।