ଏଣିକି ସବୁ ଦୋକାନ ଲେଖିବେ ଓଡ଼ିଆରେ ନାମ ଫଳକ, ନକଲେ ଗଣିବେ ଜରିମାନା
ଭୁବନେଶ୍ବର : (ସଂକେତ୍ ଟିଭି) ଓଡ଼ିଶାର ସବୁ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ଯତାମୂଳକ କରାଯାଇଛି । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ୍ ଦିଆଯିବ । ଅମାନ୍ୟ କଲେ ମୋଟା ଅଙ୍କର ଜରିମାନା ନିଆଯିବ । ଜରିମାନା ସହ ଆବଶ୍ୟକସ୍ଥଳେ ଦୋକାନ ଅବା ସଂସ୍ଥାର ଲାଇସେନ୍ସ ରଦ୍ଦ କରାଯିବ । ଚଳିତ ମାସ ସୁଦ୍ଧା ନିୟମ ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନିୟମ କିପରି କଡାକଡି ପାଳନ କରାଯିବ ସେନେଇ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ତଦାରଖ କରିବେ । ପ୍ରଥମ ଥର ଖିଲାପକାରୀ ୫ ହଜାର ଟଙ୍କା ଲେଖାଏ ଜରିମାନା ଦେବେ । ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ ହଜାର ଲେଖାଏଁ ଜରିମାନା ଦେବାକୁ ପଡିବ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଦୋକାନ ଓ ବାଣିଜ୍ୟ ସଂଘ ସହିତ ପ୍ରତି ମାସରେ ବୈଠକ ଅନୁଷ୍ଠିତ ହେବ ।