‘କ୍ଲାଉଡ-ଫଟ୍’ ଆପ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ, ବାଲେଶ୍ବରରୁ ଜଣେ ଗିରଫ
ବାଲେଶ୍ବର : (ସଂକେତ୍ ଟିଭି) କ୍ଲାଉଡ-ଫଟ୍ ନାମକ ଅନ୍ଲାଇନ୍ ଆପ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବରରୁ ଜଣକୁ ଗିରଫ କରାଯାଇଛି । ବାଲେଶ୍ବର ସହରର ଅଙ୍ଗାରଗଡ଼ିଆର ନିଲେଶ କୁମାର କରଙ୍କୁ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି । ଗିରଫ ପରେ ନିଲେଶଙ୍କୁ ବାଲେଶ୍ବରରେ କୋର୍ଟରେ ହାଜର କରାଯାଇଥିଲା। ତାକୁ ଅଧିକ ପଚରାଉଚରା ପାଇଁ ଇଓଡବ୍ଲୁ ୪ ଦିନିଆ ରିମାଣ୍ଡରେ ଭୁବନେଶ୍ବରକୁ ନେଇଛି।
ସୂଚନା ଅନୁସାରେ , ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ମହାମାୟା ଜେନା ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହେଲା ପରେ ନିଲେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ। ନିଲେସ ତାଙ୍କୁ ‘କ୍ଲାଉଡ-ଫଟ୍’ରେ ଟଙ୍କା ନିବେଶ କରି ଅତିରିକ୍ତ ରୋଜଗାର କରିବାକୁ ପ୍ରବର୍ତ୍ତାଇଥିଲେ। ନିଲେଶଙ୍କ କଥାରେ ପଡ଼ି ମହାମାୟା ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ଭିତରେ ୨ ଲକ୍ଷ ୧୩ ହଜାର ୩୮ ଟଙ୍କା ଡିପୋଜିଟ୍ କରିଥିଲେ। ମହାମାୟା ଦେଖିବାକୁ ପାଇଥିଲେ ଯେ, ତାଙ୍କର ୱାଲେଟ୍ରେ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ରହିଛି। ସେ ଏହି ଟଙ୍କା ଡ୍ର କରିବାକୁ ଚାହୁଁଥିଲେ। କିନ୍ତୁ କ୍ଲାଉଡ-ଫଟ୍ ଆପ୍ ଅଚାନକ ବନ୍ଦ ହୋଇଯାଇଥିଲା। ଏହି ଠକେଇର ଶିକାର ହୋଇ ଶେଷରେ ମହାମାୟା ଇଓଡବ୍ଲୁରେ ଅଭିଯୋଗ କରିଥିଲେ ।