ପର୍ଯ୍ୟବେକ୍ଷକ ତାଲିକାରେ ସୁଶାନ୍ତ ସିଂଙ୍କ ନାଆଁ ନାହିଁ : ବିରୋଧୀ କଲେ ବିଜେଡିକୁ ଟାର୍ଗେଟ
ଭୁବନେଶ୍ବର : (ସଂକେତ୍ ଟିଭି) ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ତାଲିକାରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବାଦ୍ ଦିଆଯାଇଛି । ଏହି ପ୍ରସଙ୍ଗରେ ବିଜେଡିକୁ କଂଗ୍ରେସ ଏବଂ ବିଜେପି ଟାର୍ଗେଟ କରିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଛି, ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବାକୁ ତାଙ୍କୁ ବାଦ୍ ଦିଆଗଲା, ନବୀନ ପଟ୍ଟନାୟକ କାହାର ନୁହେଁ, ସୁଶାନ୍ତ ସିଂଙ୍କୁ କେମିତି ଛାଡ଼ିବେ। ଆଗରୁ ଦିଲୀପ ରାୟ, ବିଜୟ ମହାପାତ୍ର ଓ ନଳିନୀ ମହାନ୍ତିଙ୍କ ପରି ଲୋକଙ୍କୁ ଛାଡ଼ି ନାହାନ୍ତି।
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବିଜେଡ଼ି ନେତାଙ୍କ ହାତ ଅଛି । ଯେଉଁଥିପାଇଁ ଝାରସୁଗୁଡାରେ ନବଙ୍କ ସମର୍ଥକ ତଥା ବିଜେଡ଼ି ଲୋକଙ୍କର କ୍ରୋଧ ଅଛି । କେମିତି ସେଥିରୁ ମୁକୁଳିବେ ସେ ଚେଷ୍ଟା ବିଜେଡ଼ି କରୁଛି । ତେଣୁ ଜାଣିଶୁଣି ପର୍ଯ୍ୟବେକ୍ଷକ ତାଲିକାରୁ ସେହି ନେତାମାନଙ୍କୁ ବାଦ ଦିଆଯାଇଛି । ଦଶାହ କାର୍ଯ୍ୟରୁ ମଧ୍ୟ କିଛି ଲୋକଙ୍କୁ ଦୂରେଇ ରଖାଯାଇଥିଲା ।
ବିଜେଡି ସାଂସଦ ମହେଶ ସାହୁ ଏହାର ଜବାବ ରଖି କହିଛନ୍ତି, ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସେ ହିଁ କହିପାରିବେ। କିଏ କଣ କହୁଛି ତାକୁ ନେଇ କିଛି କହି ହେବ ନାହିଁ। ନବ ଦାସ ହତ୍ୟାକୁ ନେଇ ତଦନ୍ତ ଚାଲିଛି। ବିରୋଧୀ ଦଳ ବହୁତ କଥା କହୁଛନ୍ତି। ପର୍ଯ୍ୟବେକ୍ଷକ ତାଲିକାରୁ ବାଦ୍ ପଡ଼ିବାକୁ ନେଇ ସୁଶାନ୍ତ ସିଂ ତ କିଛି କହୁନାହାଁନ୍ତି ବିରୋଧୀ ଦଳ କଣ କହିଲେ ତାର କିଛି ଯାଏ ଆସେ ନାହିଁ ।