ଲଢୁଆ ବିମାନ ସୁଖୋଇ-୩୦ ରେ ଉଡ଼ିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ଗୁଆହାଟୀ : (ସଂକେତ୍ ଟିଭି) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁଦ୍ଧବିମାନ ସୁଖୋଇ୩୦ ଏମକେଆଇରେ ଉଡାଣ ଭରିଛନ୍ତି । ସେ ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ଫାଇଟର ବିମାନର କୋ ପାଇଲଟ ସିଟରେ ବସି ଉଡାଣ ଭରିଛନ୍ତି । ଉଡାଣ ସମୟରେ ରାଷ୍ଟ୍ରପତି ବାୟୁସେନା ପୋଷାକରେ ନଜର ଆସିଛନ୍ତି । ସୁଖୋଇ୩୦ରେ କିଛି ସମୟ ପାଇଁ ଆକାଶ ମାର୍ଗରେ ବୁଲି ପୁଣିଥରେ ସୁରକ୍ଷିତ ଭାବେ ତେଜପୁରରେ ଲ୍ୟାଣ୍ଡ କରିଛନ୍ତି ।

ପ୍ରଥମେ ରାଷ୍ଟ୍ରପତି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିଥିଲେ । ଗାର୍ଡ ଅଫ ଅନର ଦିଆଯିବା ପରେ ସେ ଯୁଦ୍ଧବିମାନ ସୁଖୋଇ୩୦ ଏମକେଆଇର କୋ ପାଇଲଟ ସିଟରେ ବସି ଉଡାଣ ଭରିଥିଲେ । ସୁଖୋଇ୩୦ ଏମକେଆଇର କ୍ୟାପଟେନ ଥିଲେ ନବୀନ କୁମାର ତିଓ୍ବାରୀ । ତେବେ ନବୀନଙ୍କ ସହ ଯୁଦ୍ଧ ବିମାନରେ ବସି କିଛି ସମୟ ଉଡାଣ କରିବା ପରେ ସେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।

ପ୍ରକାଶଥାଉକି ଯୁଦ୍ଧ ବିମାନରେ ଉଡାଣ ଭରିବା ରାଷ୍ଟ୍ରପତି ମୁର୍ମୁ ଦେଶର ତୃତୀୟ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ମିସାଇଲ୍ ମ୍ୟାନ୍ ଭାବରେ ଜଣାଶୁଣା ଡକ୍ଟର ଏପିଜେ ଅବଦୁଲ କଲାମ ଉଡାଣ ଭରିଥିଲେ । ୨୦୦୬ ମସିହା ଜୁନ ୮ ତାରିଖ ଦିନ ଅବଦୁଲ କଲାମ ଭାରତୀୟ ବାୟୁସେନାର ସୁଖୋଇ 30 MKIରେ ଉଡାଣ କରିଥିଲେ । ସେ ଆକାଶରେ ୩୦ ମିନିଟ ଧରି ଉଡିଥିଲେ । ଦ୍ବିତୀୟରେ ପୂର୍ବତନ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉଡିଥିଲେ । ନଭେମ୍ବର ୨୦୦୯ରେ ସୁଖୋଇ ବିମାନରେ ବସିଥିଲେ ପ୍ରତିଭା ପାଟିଲ । ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୁଖୋଇ30 MKIରେ ଉଡାଣ ଭରିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗତ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ସୁଖୋଇରେ ଉଡିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ପ୍ରତିରକ୍ଷା ବିଭାଗ ପିଆରଓ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ ।