ୟୁପିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀ ଜଣେ ଜଣେ ଡକାୟତ ; କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ବାଲିଆପାଳ : ( ଉମାକାନ୍ତ ନାୟକ) ୟୁପିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ୟୁପିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀଙ୍କୁ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ । ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ ।

କେନ୍ଦ୍ରମନ୍ତ୍ରୀ ଟୁଡୁ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଧମକ ଦେବା ଏବଂ ସୋସିଆଲ ମିଡିଆରେ ଲୋକମାନଙ୍କୁ ଦାଦାଗିରି ଦେଖାଇ ଲୋକଙ୍କୁ ଧମକ ଦେବାକୁ ନେଇ ସେ ପୂର୍ବରୁ ବିବାଦ ଘେରକୁ ଆସିଛନ୍ତି।