ନମ୍ବର ଲୁଚାଇ ଗାଡ଼ି ଚଳାଉଛନ୍ତି ଅମାନିଆ, ଧରିବାକୁ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ବର : (ସଂକେତ୍ ଟିଭି) ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କୁ ଧରିବା ପାଇଁ ରାଜ୍ୟ ବ୍ୟାପୀ ଚାଲିଛି ସ୍ବତନ୍ତ୍ର ଅଭିଯାନ । ହେଲେ ଅମାନିଆ ଚାଳକମାନେ ଏଥିରୁ ବଞ୍ଚିବା ପାଇଁ ନୂତନ ପନ୍ଥା ଅବଲମ୍ବନ କରୁଛନ୍ତି । ରାଜଧାନୀ ଭୁବନେଶ୍ବରରେ ଅମାନିଆ ଚାଳକଙ୍କୁ ଧରିବା ଲାଗି ସହରରେ ଖଞ୍ଜାଯାଇଛି ସିସି କ୍ୟାମେରା। ମାତ୍ର କ୍ୟାମେରା ଲେନ୍ସରୁ ମୁକୁଳିବା ଲାଗି ଚାଳକ ଗାଡ଼ିର ନମ୍ବର ପ୍ଲେଟ୍‌‌ ଲିଭାଇ କିମ୍ବା ଲୁଚାଇ ଗାଡ଼ି ଚଳାଉଛନ୍ତି। ତଣ୍ଡ ନ ଦେବାକୁ ନମ୍ୱର ପ୍ଲେଟ୍‌‌ ଘୋଡ଼ାଇବେ କିମ୍ୱା ସିଙ୍ଗଲ ନମ୍ୱରକୁ କାଟିବା ଲାଗି ଯୋଜନା କରୁଛନ୍ତି। ଆଉ କିଏ କିଏ ବାଇକ୍ ନମ୍ବରପ୍ଲେଟ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ଏଥି ଯୋଗୁଁ ଟ୍ରାଫିକ୍‌‌ ପୁଲିସ ସାଙ୍ଗକୁ ସିସି କ୍ୟାମେରା ବି ଚକ୍‌‌ମା ଖାଇଯାଉଛି।

ତେବେ ଏଥିଲାଗି କମିସନରେଟ୍‌‌ ପୁଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏଭଳି ଚାଳକଙ୍କୁ ଟାର୍ଗେଟ୍‌‌ କରିବା ସହ ଦ୍ୱୈତନଗରୀରେ ଏକ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚାଲିଛି। ଏଭଳି ଯେଉଁମାନେ ଗାଡି ଚଳାଉଛନ୍ତି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ଗଣିବେ ବୋଲି ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ସୂଚନା ଦେଇଛନ୍ତି।

ସେପଟେ ଦୀର୍ଘ ଏକ ବର୍ଷ ହେଲା ଉଲ୍ଲଘଂନକାରୀଙ୍କୁ ଧରିବା ପାଇଁ ସହରର ୩୨ଟି ଜାଗାରେ କ୍ୟାମେରା ଲାଗିଛି। ଏଥିସହିତ ପ୍ରମୁଖ ଛକର ପୁଲିସର ସ୍ପେଶାଲ ଅଭିଯାନ ଚାଲୁଛି। ତାହା ପରେ ବି ଚେତୁନାହାନ୍ତି ଲୋକେ। ଏଣୁ ପୋଲିସ ପ୍ରଥମେ ସଚେତନ କରିବା ସହ ଅନ୍‌‌ଲାଇନ୍‌‌ ଓ ଅଫ୍‌‌ଲାଇନ୍‌‌ରେ ଚାଲାଣ କାଟୁଛି। ଉଲ୍ଲଘଂନକାରୀମାନେ ବାରମ୍ୱାର ଏପିରି କଲେ ଗାଡ଼ି ଜବତ କରିବ ବୋଲି ଟ୍ରାଫିକ ଏସିପି ଚେତାଇ ଦେଇଛନ୍ତି।