ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ‘ୱାର୍ଡ ପଜଲ୍‌’ ଟ୍ୱିଟ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରାହୁଲ ଗାନ୍ଧିଙ୍କ ୱାର୍ଡ ପଜଲରେ ହୋଇଥିବା ଟ୍ୱିଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲଙ୍କୁ ସମାଲୋଚନା କରିବା ପାଇଁ ବିଜେପି ଏବେ କିଛି ପୁରୁଖା କଂଗ୍ରେସ ନେତାଙ୍କୁ ସମ୍ମୁଖ ଭାଗକୁ ଆଣିଥିଲା । ଏକଦା କଂଗ୍ରେସରେ ଥିବା ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ବିଜେପିରେ ଯୋଗଦେବାପରେ ରାହୁଲଙ୍କ ବିରୋଧରେ ବେଶ୍‌ ମୁଖର ହୋଇଥିଲେ । ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ଓ ଆଦାନୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ ଓ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଲଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ନିକଟରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ ଆଣ୍ଟୋନୀ ଓ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ବିଜେପିରେ ଯୋଗ ଦେଇଛନ୍ତି । ସେମାନେ ମଧ୍ୟ କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ କରୁଛନ୍ତି ।

ତେବେ ରାହୁଲଙ୍କ ଗୋଟିଏ ଟ୍ୱିଟ୍‌ ଆଜି ଅନେକ କିଛି ସୂଚନା ଦେଇଛି । ୱାର୍ଡ ପଜଲରେ ଏହି ଟ୍ୱିଟ୍‌ରେ ଆଦାନୀ ପ୍ରମୁଖ ଭାବରେ ଦିଶୁଥିବାବେଳେ ଅନ୍ୟ ଶବ୍ଦଗୁଡିକରେ ଗୁଲାମ, ସିନ୍ଧିଆ, କିରଣ, ହେମନ୍ତ ଓ ଅନିଲ ଲେଖାଯାଇଛି । ଏହି ଶବ୍ଦଗୁଡିକରେ ଆଦାନୀର ଶବ୍ଦ ସହ ଏମାନଙ୍କୁ ଯୋଡା ଯାଇଛି । ଏଥିରେ ରାହୁଲ ପ୍ରଶ୍ନ କରିଛନ୍ତି ସତ ଲୁଚାଇଥାନ୍ତି ସେଥିପାଇଁ ପ୍ରତ୍ୟେକ ଦିନ ଭ୍ରମିତ କରନ୍ତି । ଗୋଟିଏ ପ୍ରଶ୍ନ ଆଦାନୀ କମ୍ପାନୀରେ ୨୦ ହଜାର କୋଟି ବେଆଇନ୍‌ ଟଙ୍କା କାହାର । ଏହାପରେ ସେ ଅକ୍ଷରଗୁଡିକୁ ନେଇ ଅନେକ ନାମ ଲେଖିଛନ୍ତି । ତେବେ ଅନ୍ୟମାନେ କେହି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇନଥିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । କୋର୍ଟରେ ଦେଖାହେବ ବୋଲି ପରୋକ୍ଷ ଧମକ ଦେଇଛନ୍ତି ।

ନିକଟରେ ଗୁଲାମନବୀ ଆଜାଦ ଓ ଜ୍ୟୋରିରାଦିତ୍ୟ ସିନ୍ଧିଆ ରାହୁଲ ଓ କଂଗ୍ରେସକୁ ସମାଲୋଚନା କରିଥିଲେ । ଗୁଲାମନବୀ ଏକ ଟିଭି ସାକ୍ଷାତକାରରେ ରାହୁଲଙ୍କୁ କଡା ସମାଲୋଚନା କରିଥିଲେ ଓ ସେ ଦଳ ଛାଡିବା ପଛରେ ରାହୁଲ ହିଁ କାରଣ ବୋଲି କହିଥିଲେ । ଆଦାନୀର ‘ଏ’ ଅକ୍ଷରରେ ଗୁଲାମ ଲେଖାଯାଇଛି । ସେହିଭଳି ‘ଡି’ ଅକ୍ଷରରେ ସିନ୍ଧିଆ ଉଲ୍ଲେଖ ରହିଛି । ନିକଟରେ ଜ୍ୟୋତିରାଦିତ୍ୟ ଗାନ୍ଧି ପରିବାରକୁ ଦେଶ ଦ୍ରୋହୀ ବୋଲି ଉଲ୍ଲେଖ କରିଛନ୍ତି । ସେହିଭଳି ‘ଏ’ରେ ପୁଣି କିରଣ ଲେଖାଯାଇଥିବାବେଳେ ‘ଏନ୍‌’ରେ ହିମନ୍ତ ଓ ‘ଆଇ’ରେ ଅନିଲ୍‌ ଲେଖାଯାଇଛି ।