ଏନ୍କାଉଣ୍ଟର୍ରେ ଅତୀକ୍ ଅହମଦ୍ଙ୍କ ପୁଅ ଅସଦ୍ ନିହତ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଜି ଝାନ୍ସୀରେ ଉତ୍ତର ପ୍ରଦେଶର ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ର (ଏସ୍ଟିଏଫ୍) ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅତିକ ଅହମ୍ମଦର ପୁଅ ଅସଦ ଅହମ୍ମଦକୁ ଏନକାଉଣ୍ଟର କରିଛି । ଏହାଛଡା ମାମଲାରେ ଜଡିତ ଅନ୍ୟ ଜଣେ ଗୁଲାମ ନାମକ ବ୍ୟକ୍ତିକୁ ପୋଲିସ ଏନକାଉଣ୍ଟର କରିଛି ।
ଡେପୁଟି ଏସ୍.ପି. ନବେନ୍ଦୁ ଏବଂ ବିମଳଙ୍କ ନେତୃତ୍ବାଧୀନ ଉତ୍ତର ପ୍ରଦେଶର ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ ଏହି ଏନ୍କାଉଣ୍ଟର୍ କରିଛି । ମୃତକଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ମୃତ ଅସଦ୍ ଓ ଗୁଲାମ୍ଙ୍କ ପାଖରୁ ପୁଲିସ ବିଦେଶରେ ନିର୍ମିତ ଅତି ଉନ୍ନତ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।
ପୁଲିସ କହିବା ଅନୁସାରେ, ଉତ୍ତର ପ୍ରଦେଶ ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ ଟିମ୍ ଉପରକୁ ଦୁହେଁ ପ୍ରଥମେ ଗୁଳି ଚଳାଇଲେ। ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ ଟିମ୍ ପାଲଟା ଗୁଳି ଚଳାଇବାରୁ ଦୁହିଁଙ୍କର ମୃତ୍ୟୁ ଘଟିଲା। ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ନୂଆ ସେଲ୍ଫୋନ୍ ଏବଂ ସିମ୍ କାର୍ଡ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଉମେଶ ପାଲ୍ ହତ୍ୟା ମାମଲାରେ ଆଜି ଅତୀକ୍ ଅହମଦ୍ଙ୍କୁ ପ୍ରୟାଗରାଜସ୍ଥିତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ହାଜର କରାଯାଉ ଥିବା ବେଳେ ଏନ୍କାଉଣ୍ଟର୍ରେ ଅସଦ୍ଙ୍କର ମୃତ୍ୟୁ ଘଟିଛି।
୨୦୦୫ରେ ବହୁଜନ ସମାଜ ପାର୍ଟିର ସାଂସଦ ରାଜୁ ପାଲ୍ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ୍। ଏଥିରେ ଅଭିଯୁକ୍ତ ଥିଲେ ଅତୀକ୍। ଫେବ୍ରୁଆରି ୨୪ ତାରିଖ ଦିନ ପ୍ରୟାଗରାଜ ବାସଭବନ ବାହାରେ ଉମେଶ ପାଲ୍ ଏବଂ ତାଙ୍କର ଦୁଇଜଣ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ଅହମଦ୍, ଅଶରଫ୍ ଏବଂ ସେମାନଙ୍କର ପରିବାରର ସଦସ୍ୟମାନେ ସମ୍ପୃକ୍ତ ବୋଲି ଉମେଶଙ୍କ ପତ୍ନୀ ଜୟାଙ୍କ କରିଥିବା ଅଭିଯୋଗ ଆଧାରରେ ମାମାଲା ରୁଜୁ କରାଯାଇଥିଲା।
ସେପଟେ ପୁଲିସର ଏହି ଏନ୍ କାଉଣ୍ଟରକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସମାଜବାଦୀ ନେତା ଅଖିଳେଶ ଯାଦବ ଏହି ଏନକାଉଣ୍ଟରକୁ ଏକ ମିଛ ଏନକାଉଣ୍ଟର ବୋଲି କହିଛନ୍ତି । ଏହାର ନିରପେକ୍ଷ ତଦନ୍ତ ହେବା ଉଚିତ ବୋଲି ସେ ଦାବି କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ବିଜେପି ଭାଇଚାରାର ବିରୋଧୀ ।
ଏକ ଟୁଇଟ କରି ସେ ଲେଖିଛନ୍ତି “ମିଥ୍ୟା ଏନକାଉଣ୍ଟର କରି ବିଜେପି ସରକାର ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି କୋର୍ଟରେ ବିଶ୍ୱାସ କରେ ନାହିଁ। ଆଜିର ଏବଂ ସାମ୍ପ୍ରତିକ ସମୟରେ ହୋଇଥିବା ଅନ୍ୟ ଏନକାଉଣ୍ଟରର ମଧ୍ୟ ନିରପେକ୍ଷ ତଦନ୍ତ କରାଯିବା ଉଚିତ ଏବଂ ଦୋଷୀଙ୍କୁ ଛଡ଼ାଯିବା ଉଚିତ ନୁହେଁ । କ୍ଷମତାର ଠିକ୍ ଓ ଭୁଲ ନିଷ୍ପତ୍ତି ନେବାର ଅଧିକାର ନାହିଁ । ବିଜେପି ଭାଇଚାରା ବିରୋଧୀ ।“
ସେହିପରି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ବି ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଜେପି ଧର୍ମ ନାଁରେ ଏନକାଉଣ୍ଟର କରୁଛି ଓ ଆଇନର ଶାସନକୁ ଦୁର୍ବଳ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଅସଦର ଏନକାଉଣ୍ଟର ଖବର ଆସିବା ପରେ ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବୈଠକ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ଏ ସଂପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖାଯାଇଥିଲା । ଏହାକୁ ନେଇ ଯୋଗୀ ୟୁପି ପୁଲିସର ଏସଟିଏଫକୁ ପ୍ରଶଂସା କରିଛନ୍ତି ।