ଦଳିତ ନେତାଙ୍କୁ ଦୟନୀୟ ଭାବେ ଗୁଳି କରି ହତ୍ୟା କଲେ ୪ ଜଣ ଦୁର୍ବୃତ୍ତ
ପାଟନା : (ସଂକେତ୍ ଟିଭି) ବିହାରର ହାଜିପୁରରେ ଦଳିତ ସେନାର ରାଷ୍ଟ୍ରୀୟ ସଙ୍ଗଠନ ସଚିବ ରାକେଶ ପାସୱାନଙ୍କୁ ୪ ଜଣ ଦୁର୍ବୃତ୍ତ ଅତି ଦୟନୀୟ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ , ଡ. ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ କରିବା ଅବସରରେ ରାକେଶ ପାସୱାନଙ୍କୁ ୪ ଜଣ ଦୁର୍ବୃତ୍ତ ଅତି ଦୟନୀୟ ଭାବେ ଗୁଳି କରି ହତ୍ୟା କରିଛନ୍ତି। ରାକେଶ ପାସୱାନ ଲାଲଗଞ୍ଜ ଥାନା ଅଞ୍ଚଳସ୍ଥ ପଞ୍ଚଦମିଆରେ ତାଙ୍କ ଘରେ ଥିଲେ। ସେଠାରେ ସେ ଡ. ଆମ୍ବେଦକର ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ବ୍ୟସ୍ତରେ ଥିଲେ। ଏହି ସମୟରେ ହଠାତ ଚାରିଜଣ ଲୋକ ଆସି ରାକେଶ ପାସୱାନଙ୍କ ନିକଟରେ ପହଞ୍ଚିଥିଲେ। ଉକ୍ତ ୪ଜଣ ଲୋକ ପ୍ରଥମେ ଦଳିତ ନେତା ରାକେଶଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେମାନେ ହଠାତ ଧାରୁଆ ଅସ୍ତ୍ରଶସ୍ତ୍ର ବାହାର କରି ନେତାଙ୍କ ଉପରକୁ ଆକ୍ରମଣ କରି ଗୁଳି ଚଳାଇଥିଲେ। ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ରାକେଶ ପାସୱାନଙ୍କୁ ତାଙ୍କ ସମର୍ଥକ ଓ ପରିବାରଲୋକ ଉଦ୍ଧାର କରି ହସ୍ପିଟାଲ ଆଣିଥିଲେ। କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଡିଏମ ଓ ଏସପି ସମେତ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛି। ରାକେଶଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।