ରିଷ୍ଟ ଖଣ୍ଡନ ପାଇଁ ବୁଲା କୁକୁର ସହ ବିବାହ କଲେ ଦୁଇ ଶିଶୁ

ବାଲେଶ୍ବର : (ସଂକେତ୍ ଟିଭି) ରିଷ୍ଟ ଖଣ୍ଡନ ପାଇଁ ବୁଲା କୁକୁର ସହ ୨ ଜଣ ପିଲାଙ୍କ ବାହାଘର କରାଯାଇଛି। ଏଭଳି ଘଟଣା ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ସିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମରେ ଦେଖିବାକୁ ମିଳିଛି ।

ଆଦିବାସୀ ସଂପ୍ରଦାୟର ଲୋକେ ଛୋଟ ପିଲାଙ୍କର ପ୍ରଥମେ ଉପର ମାଢ଼ିରେ ଦାନ୍ତ ଉଠିଲେ ଅଶୁଭ ଭାବନ୍ତି। ଫଳରେ ତାହାର ପ୍ରତିକାର କରାଯାଏ। ତେବେ ଏଥିପାଇଁ ସେମାନେ ନିଜ ପିଲାଙ୍କୁ ସାହାଡ଼ା ଗଛ କିମ୍ବା କୁକୁର ସହ ବାହାଘର କରିଦିଅନ୍ତି।

ସୂଚନା ଅନୁସାରେ ବନ୍ଧସାହି ଗ୍ରାମର ମାଛୁଆ ସିଂ’ଙ୍କ ପୁଅ ଏବଂ ମାନସ ସିଂ’ଙ୍କ ଝିଅର ପ୍ରଥମେ ଉପର ମାଢ଼ି ଦାନ୍ତ ଉଠିଥିଲା। ଫଳରେ ସେମାନଙ୍କ ରିଷ୍ଟ ପଡ଼ିଥିବା କୁହାଗଲା। ତେବେ ରିଷ୍ଟ ଖଣ୍ଡନ ପାଇଁ ଉଭୟଙ୍କ ବାହାଘର କୁକୁର ସହ କରାଯାଇଛି। ମାଛୁଆଙ୍କ ପୁଅ ସହ ଏକ ମାଈ କୁକୁର ଏବଂ ମାନସଙ୍କ ଝିଅ ସହ ଏକ ଅଣ୍ଡିରା କୁକୁରର ବାହାଘର ହୋଇଛି। ଆଜି ସକାଳେ ମଛୁଆ ଓ ମାନସଙ୍କ ଘରକୁ ସାହିର ୭ଟି ଘରୁ ହଳଦୀ, ସୋରିଷ ତେଲ ଓ ବାଡ଼ୁଅ ପାଣି ଆସିଥିଲା। ପରେ ଉଭୟ ପିଲାଙ୍କୁ ଗ୍ରାମର ଏକ ଚାରିଛକ ସ୍ଥାନକୁ ନିଆଯାଇଥିଲା। ସେଠାରେ ସୂର୍ଯ୍ୟ ଓ ଗ୍ରାମ ଦେବାଦେବୀଙ୍କ ପୂଜା କରାଯିବା ସହ ସେମାନଙ୍କୁ ବାଡ଼ୁଅ ପାଣିରେ ଗାଧୋଇ ଦିଆଯାଇଥିଲା। ପରେ ସିନ୍ଦୂର ଓ ଗହଣା ଦେଇ କୁକୁର ସହ ସେମାନଙ୍କ ବାହାଘର ହୋଇଥିଲା। ବାହାଘର ପରେ ସମସ୍ତେ ଘରୁ ଫେରିଥିଲେ। ଭୋଜିଭାତର ମଜା ନେବା ସହ ନାଚଗୀତରେ ମସଗୁଲ ହୋଇଥିଲେ।

ଏହା କିଛି ନୂଆ କଥା ନୁହେଁ, ଏମିତି ବି ସଭ୍ୟ ସମାଜରେ ବିବାହ ବେଳେ ମଙ୍ଗଳ ଦୋଷ ଥିଲେ ପୁଅ କିଂବା ଝିଅର ରିଷ୍ଟ ଖଣ୍ଡନ ପାଇଁ ପ୍ରଥମେ ସାହାଡ଼ା ଗଛ ସହ ବିବାହ କରାଯିବା ପରଂପରା ରହିଆସିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତେବେ ଆଜି ଏହି ଦୁଇଟି ବାହାଘର ଗ୍ରାମରେ ଏହି ସମ୍ପ୍ରଦାୟର ଗ୍ରାମବାସୀ ମାନେ ଧୁମଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି ।