ସମ୍ବଲପୁର ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି, ସମସ୍ତ ସୀମା ସିଲ୍

ସମ୍ବଲପୁର : (ସଂକେତ୍ ଟିଭି) ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ। ଏପରି କି ବସ ଚଳାଚଳ ବନ୍ଦ ରହିବ। ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ। ସମ୍ବଲପୁର ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ କଟକଣା ଜାରି ରହିବ। ସ୍ଥିତିରେ ସୁଧାର ନ ଆସିବା ଯାଏଁ କର୍ଫ୍ୟୁ ଜାରି ରହିବ।