ଅତିକ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକ ଥିଲେ ପେସାଦାର ଅପରାଧୀ
ଲକ୍ଷ୍ନୌ : (ସଂକେତ୍ ଟିଭି) ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ଗିରଫ ହେବା ପରେ ପୋଲିସ ସାମ୍ନାରେ ବହୁ କଥା ଖୁଲାସା କରିଛନ୍ତି । ସେମାନେ କହିଛନ୍ତି ଯେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫକୁ ହତ୍ୟା କରି ଡନ ହେବାକୁ ଚାହୁଁଥିଲେ । ଛୋଟ ଛୋଟ ଅପରାଧ କଲେ ଆମକୁ କେହି ଜାଣିପାରୁନଥିଲେ ତେଣୁ କିଛି ବଡ ଅପରାଧ ଘଟାଇବାକୁ ଆମେ ଏପରି କରିଥିବା କହିଛନ୍ତି ଅଭିଯୁକ୍ତ ।
ଗିରଫ ହୋଇଥିବା ଏହି ୩ ଯୁବକ ହେଉଛନ୍ତି- ଲବଲେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟ। ଏହି ତିନି ଅଭିଯୁକ୍ତ ପେସାଦାର ଅପରାଧି ଥିଲେ । ଡକାୟତି ଓ ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଜେଲ ମଧ୍ୟ ଯାଇଛନ୍ତି । ସନ୍ନି ନାଁରେ ୧୪ଟି ମାମଲା ରହିଛି। ସେ ଫେରାର ଥିଲା। ସେହିପରି ଅରୁଣ ମୌର୍ଯ୍ୟ ଜଣେ ପୁଲିସ୍ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ରହିଛି। ୨୦୧୦ରେ ଏକ ଟ୍ରେନ୍ରେ ଏହି ଘଟଣା ଘଟିଥିଲା।
ଲଭଲେଶ ତିୱାରୀ ବାନ୍ଦା ବାସିନ୍ଦା ହୋଇଥିବାବେଳେ ଅରୁଣ ମୌର୍ଯ୍ୟ ହମିରପୁରର ବାସିନ୍ଦା ଓ ଅଭିଯୁକ୍ତ ସନି କସଗଞ୍ଜ ଜିଲ୍ଲାର ହୋଇଥିବା ପୁଲିସ କହିଛି । ଲବଲେଶର ଘର ଉତ୍ତର ପ୍ରଦେଶର ବାନ୍ଦାରେ। ସେ କେବେ କେମିତି ଘରକୁ ଯାଏ। ଶେଷ ଥର ପାଇଁ ପ୍ରାୟ ସପ୍ତାହେ ତଳେ ସେ ଘରକୁ ଯାଇଥିଲା। ତା’ ବାପା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେ ଘରେ ରହେ ନାହିଁ। ପରିବାରର କୌଣସି କଥାରେ ସେ ମୁଣ୍ଡ ପୂରାଏ ନାହିଁ। ସେ ଆମକୁ କିଛି କୁହେ ନାହିଁ। ବେଶ୍ କିଛି ବର୍ଷ ହେଲାଣି ଆମେ ତା’ ସହିତ ଭଲ ଭାବେ କଥା ମଧ୍ୟ ହୋଇନାହୁଁ। ଶେଷ ଥର ପାଇଁ ୫/୬ ଦିନ ତଳେ ଘରକୁ ଆସିଥିଲା। ତା’ ନାଁରେ ପୂର୍ବରୁ ବି ଥାନାରେ ମାମଲା ରହିଛି। ସେହି ମାମଲାରେ ସେ ଜେଲ ଯାଇଥିଲା। ସେ କିଛି କାମ ଧନ୍ଦା କରେ ନାହିଁ। ନିଶା ସେବନ କରେ। ଏବେ ଯେଉଁ ଘଟଣା ଘଟିଯାଇଛି, ସେଥିରେ ଆମର କିଛି ସଂପୃକ୍ତି ନାହିଁ।
ଅପରାଧ ପୃଷ୍ଠଭୂମି ସହିତ ଏହି ତିନି ଜଣଙ୍କ ମଧ୍ୟରେ ଆଉ ଏକ ସାମଞ୍ଜସ୍ୟ ରହିଛି। ସୂଚନା ଅନୁଯାୟୀ, ପରିବାର ସହିତ ଏମାନଙ୍କର ଏକ ପ୍ରକାର ସଂପର୍କ ନଥିଲା କହିଲେ ଚଳେ।