ଲାଗୁ ହେଲା ଏସମା, ୬ ମାସ ଯାଏଁ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ
ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟ ସରକାର ସରକାରୀ ଡାକ୍ତରଖାନାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଏସ୍ମା ଲାଗୁ କରିଛନ୍ତି । ଏହି ନିୟମ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନ, ଡାକ୍ତରଖାନାରେ ନିୟୋଜତି ଅନ୍ୟ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମେତ ଡାକ୍ତରଖାନା ଯତ୍ନ ନେବା ନିମନ୍ତେ ନିଯୁକ୍ତି ପାଇଥିବା ଠିକା କର୍ମଚାରୀଙ୍କ ପ୍ରତି ଏହା ଲାଗୁ ହୋଇଛି।
ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ରାଜ୍ୟ ସରକାର ଏସମା ଲାଗୁ କରିଛନ୍ତି । ସମସ୍ତ ପ୍ରକାର ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏହି ନିର୍ଦ୍ଦେଶ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଲାଗୁ ହୋଇଛି। ଫଳରେ କର୍ମଚାରୀମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ।
ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଫାର୍ମାସିଷ୍ଟ ଓ ନର୍ସ ସଂଘ ।ଏହି ନିର୍ଦ୍ଦେଶ ଜାରି କରି ସରକାର ସେମାନଙ୍କ କଣ୍ଠରୋଧପାଇଁ ଉଦ୍ୟମ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ପ୍ରତି ହେଉଥିବା ଦରମା ଅସଙ୍ଗତି ଓ ଚାକିରି ନିୟମିତ କରିବା ପ୍ରଭୃତିକୁ ଠିକ୍ ଭାବେ ସରକାର ଲାଗୁ କରୁନାହାନ୍ତି। ୨୦୧୩ ପୂର୍ବରୁ ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଏ ପର୍ଯ୍ୟନ୍ତ ସରକାର ରେଗୁଲାର କଲେନାହିଁ। ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ସେମାନଙ୍କୁ ନ୍ୟାୟ ମିଳିଲାନି।
ଆଜି ସଂଘ ୧୨ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ଆନ୍ଦୋଳନ କରିବାର ଥିଲା। ହେଲେ ସରକାର ଅନୁମତି ଦେଲେନି। ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରା ନ ଯାଇ ଓଲଟା ସେମାନଙ୍କ କଣ୍ଠରୋଧ କରାଯାଇଛି। ତେଣୁ ଆଗକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ସରକାରଙ୍କୁ ପ୍ରତିବାଦମୂଳକ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।