ମହିଳା ଖଣି ନିରୀକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବାଲି ମାଫିଆ

ପାଟନା : (ସଂକେତ୍ ଟିଭି) ବିହାରର ବିହଟାରେ ଜଣେ ମହିଳା ଖଣି ନିରୀକ୍ଷକଙ୍କୁ ବାଲି ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି। ଏହି ଘଟଣାରେ ଖଣି ନିରୀକ୍ଷକଙ୍କ ସହ ଅନ୍ୟ ଅନେକ ପୋଲିସକର୍ମୀଙ୍କ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସୋମବାର ବାଲି ଓଭରଲୋଡିଂ ଚେକିଂ ପାଇଁ ଯାଇଥିବାବେଳେ ବିବାଦ ହୋଇଥିଲା। ବାଲି ମାଫିଆ ଇଟା-ପଥରରେ ପୋଲିସ୍‌ ଟିମ୍‌ ଉପରକୁ ଆକ୍ରମଣ କରିଥିଲେ। ପୋଲିସ୍‌ର ଅନ୍ୟ ଯବାନ ଖସିଯାଇଥିଲେ କିନ୍ତୁ ଘଟଣାରେ ଖଣି ନିରୀକ୍ଷକ ସେମାନଙ୍କ କବଳରେ ଫସିଯାଇଥିଲେ। ଭାଇରାଲ ହେଉଥିବା ଭିଡିଓରେ କିଛି ଦୁର୍ବୁତ୍ତ ମହିଳା କ୍ଷଣି ନିରୀକ୍ଷକଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟୁଥିବାର ଦେଖାଯାଉଛି।

ତେବେ ପୋଲିସ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପାଟନା ଏସଏସପି ଘଟଣା ବିଷୟରେ ସୁନିଶ୍ଚିତ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ନେଇ କହିଛନ୍ତି। ଏପର୍ଯ୍ୟନ୍ତ ୪୪ ଜଣକୁ ଗିରଫ କରାଯାଇସାରିଛି। ପ୍ରାୟ ୫୦ ଗାଡ଼ି ମଧ୍ୟ ଜବତ ହୋଇଛି। ଗାଡ଼ି ମାଲିକ ଏବଂ ଚାଳକଙ୍କ ବିରୋଧରେ ଏଫଆଇଆର ରୁଜୁ କରି କାର୍ଯ୍ୟାନୁଷ୍ଠାନ କରାଯାଉଛି।